ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନାମକୁ ପରିବର୍ତ୍ତନ କରି ମହାଭାରତର ‘ଇନ୍ଦ୍ରପ୍ରସ୍ଥ’ ନାମରେ ନାମିତ କରାଯାଉ । ଚାନ୍ଦିନୀ ଚୌକର ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏଭଳି ଦାବି କରିଛନ୍ତି । ପ୍ରବୀଣ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଏକ ପତ୍ର ଲେଖି ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ କହିଛନ୍ତି ।
ପ୍ରବୀଣ ଖଣ୍ଡେଲୱାଲ ଚିଠିରେ ଐତିହାସିକ ଓ ସାଂସ୍କୃତିକ ମହତ୍ୱର ଆଧାରରେ ପ୍ରସ୍ତାବ ରଖିଛନ୍ତି । ମହାଭାରତର ପାଣ୍ଡବ ରାଜତ୍ୱ ସମୟରେ ଥିବା ପ୍ରମାଣକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଇନ୍ଦ୍ରପ୍ରସ୍ଥ 3000 ବର୍ଷ ପୂର୍ବେ ପାଣ୍ଡବଙ୍କ ରାଜଧାନୀ ଥିଲା । ପୁରାଣରେ ମଧ୍ୟ ପ୍ରମାଣ ରହିଛି । ପାଣ୍ଡବମାନେ ‘ହସ୍ତିନାପୁର’ରୁ ରାଜଧାନୀ ସ୍ଥାନାନ୍ତର କରି ଯମୁନା ନଦୀ କୁଳରେ ‘ଇନ୍ଦ୍ରପ୍ରସ୍ଥ’ ସ୍ଥାପନ କରିଥିଲେ । ମୌର୍ଯ୍ୟ ଏବଂ ଗୁପ୍ତ ଶାସନ କାଳରେ ଏହା ବାଣିଜ୍ୟର ପ୍ରମୁଖ କ୍ଷେତ୍ର ଥିଲା । ସେହିପରି ରାଜପୁତ ଶାସନ ସମୟରେ ଏହାର ନାମ ‘ଢିଲ୍ଲିକା’ ନାମ ରଖିଥିଲେ । ଯାହାକି ପରବର୍ତ୍ତୀ ସମୟରେ ‘ଦିଲ୍ଲୀ’ ହୋଇଥିଲା । ମୋଗଲ କାଳରେ ସିରୀ, ତୁଗଲକାବାଦ, ଫିରୋଜଶାହ କୋଟାଲା, ଏବଂ ଶାହଜହାନାବାଦ ଭଳି ନଗର ଗଢ଼ି ଉଠିଥିଲା । ବ୍ରିଟିଶ ଶାସନ ସମୟରେ ଏହାକୁ ନୂଆ ଦିଲ୍ଲୀକୁ ରାଜଧାନୀ କରାଗଲା । କିନ୍ତୁ ତାହାର ଐତିହାସିକ ଏବଂ ଭୌଗୋଳିକ କ୍ଷେତ୍ର ସମାନ ରହିଛି । ତେଣୁ ମୋଗଲ ଶାସନ କାଳରେ ହୋଇଥିବା ନାମକରଣକୁ ବଦଳାଇ ହିନ୍ଦୁ ସଂସ୍କୃତି ଅନୁସାରେ ନାମ କରଣ କରିବାକୁ ପରାମର୍ଶ ଦେଇଛନ୍ତି । ଯଦ୍ୱାରା ୫୦୦୦ ବର୍ଷ ତଳର ହିନ୍ଦୁ ସଂସ୍କୃତି ପୁଣି ଥରେ ପୁନର୍ଜୀବିତ ହୋଇପାରିବ ।
ଖାଲି ସେତିକି ନୁହେଁ ବିମାନ ବନ୍ଦର, ରେଳ ଷ୍ଟେସନ ଏବଂ ବିଭିନ୍ନ ସ୍ଥାନ ଗୁଡ଼ିକର ନାମ ବଦଳାଇ ମହାଭାରତର ନାମ ଅନୁସାରେ ନାମ କରଣ କରିବାକୁ ଦାବି କରିଛନ୍ତି । ଯେପରିକି ଦିଲ୍ଲୀର ନାମ ‘ଇନ୍ଦ୍ରପ୍ରସ୍ଥ’, ପୁରୁଣା ଦିଲ୍ଲୀ ରେଳ ଷ୍ଟେସନର ନାମ ‘ଇନ୍ଦ୍ରପ୍ରସ୍ଥ ଜଙ୍କସନ୍’, ଦିଲ୍ଲୀ ବିମାନ ବନ୍ଦର ନାମ ‘ଇନ୍ଦ୍ରପ୍ରସ୍ଥ ଏୟାରପୋର୍ଟ’ ଏବଂ ଦିଲ୍ଲୀର ପ୍ରମୁଖ ସ୍ଥାନଗୁଡ଼ିକରେ ପାଣ୍ଡବଙ୍କ ପ୍ରତିମା ଲଗାଇବାକୁ ଦାବି କରିଛନ୍ତି ।
ନିକଟରେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଏଭଳି ଦାବି କରିଥିଲା । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାମ ପରିବର୍ତ୍ତନ କରିବାକୁ କହିଥିଲେ । ୨୦୨୧ରେ ମଧ୍ୟ ଡ. ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଦାବି ଉଠାଇଥିଲେ । ଯାହାକୁ ବିରୋଧୀ ଦଳ ରାଜନୈତିକ ଷ୍ଟଣ୍ଟ୍ କହି ଖାରଜ କରିଥିଲା ।