ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କାସିବୁଗାରେ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଶନିବାର ଦଳାଚକଟା ହୋଇଛି । ଏଥିରେ ଅତି କମରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏକାଦଶୀ ଉପଲକ୍ଷେ ମନ୍ଦିରରେ ଆଜି ପ୍ରବଳ ଭିିଡ ଲାଗି ରହିଥିଲା । ତେବେ ଦଳାଚକଟାର ପ୍ରକୃତ କାରଣ ଜଣା ପଡିନାହିଁ ।
ଏହି ମନ୍ଦିର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଅବସ୍ଥିତ । ଏକାଦଶୀ ଅବସରରେ ଆଜି ସକାଳୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମୃତକ ଶ୍ରଦ୍ଧାଳୁଙ୍କ ପରିବାରକୁ ସମବେଦନା ବ୍ୟକ୍ତ କରୁଛି । ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ।
ଘଟଣାର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । କେଉଁଭଲି ଭାବେ ମହିଳା ଓ ଛୋଟ ପିଲା ଅଚେତ ହୋଇ ତଳେ ପଡିଛନ୍ତି ସେଥିରେ ଦେଖିବାକୁ ମିଳିଛି । ଅଚେତ କିଛି ଲୋକଙ୍କୁ ଶ୍ରଦ୍ଧାଳୁ ସିପିଆର ଦେଇ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜା ସାମଗ୍ରୀ ଏଣେ ତଣେ ବିଛାଡି ହୋଇ ପଡିଛି ।
ସୂଚନା ଅନୁସାରେ କାର୍ତ୍ତିକ ମାସ ଏକାଦଶୀ କାରଣରୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ଭିଡ ଏତେ ବଢି ଯାଇଥିଲା ଯେ, ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରବନ୍ଧନ କମିଟି ନିୟନ୍ତ୍ରଣ କରି ପାରି ନ ଥିଲେ । ଅଚାନକ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଲୋକେ ଜଣେ ଅନ୍ୟ ଜଣଙ୍କ ଉପରେ ଖସିବାରେ ଲାଗିଥିଲେ ।
ରାଜ୍ୟ କୃଷି ମନ୍ତ୍ରୀ କେ ଅଚନ୍ନାୟଡୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ ମନ୍ଦିର ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି । ଏହା ସହ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଉପରେ ନଜର ରଖିଛନ୍ତି ।