ଖବର ଓଡ଼ିଶା: ହରିୟାଣାର ସିର୍ସାର ଜଗମାଲବାଲୀର ସାଧୁ ବାହାଦୁର ଚନ୍ଦ ୱକିଲ ସାହେବଙ୍କ ମୃତ୍ୟୁ ପରେ ଜିଲ୍ଲା ଅଶାନ୍ତ ରହିଛି । ସେଥିପାଇଁ ହରିୟାଣା ସରକାର ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସ୍ ଏମ୍ ଏସ୍ ସେବାକୁ ବନ୍ଦ କରି ଦେଇଛନ୍ତି । ହରିୟାଣା ସରକାରଙ୍କ ଆଦେଶରେ କୁହାଯାଇଛି ଯେ ଉତ୍ତେଜନା, ଆନ୍ଦୋଳନ, ସରକାରୀ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବା ଏବଂ ଜିଲ୍ଲାରେ ଜନ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ବ୍ୟାଘାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ସରକାର ଏ ନିଷ୍ପତି ନେଇଛନ୍ତି ।
ଅଗଷ୍ଟ ୮ ଗୁରୁବାର ରାତି ୮ଟା ୩୦ ପର୍ଯ୍ୟନ୍ତ ଏଠାରେ ମୋବାଇଲ୍ ଇଣ୍ଟରନେଟ୍ ଉପରେ ନିଷେଧାଦେଶ ବଳବତ୍ତର ରହିବ । ଆସନ୍ତାକାଲି ସାଧୁ ବାହାଦୁର ଚନ୍ଦ ୱକିଲ ସାହେବଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଛି । ସଭା ଶାନ୍ତି ସୁରୁଖରେ ସମାପ୍ତ କରିବାକୁ ସରକାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ସିର୍ସାର ଜଗମାଲବାଲୀର ସାଧୁ ବାହାଦୁର ଚନ୍ଦ ୱକିଲ ସାହେବଙ୍କ ମୃତ୍ୟୁ ପରେ ଗୋଟିଏ ଗ୍ରୁପ ଏସଡିଏମଙ୍କୁ ଭେଟିଥିଲେ । ଷଡ଼ଯନ୍ତ୍ର କରି ୱକିଲ ସାହେବଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରାଯାଇଛି । ମୃତ୍ୟୁର ସିବିଆଇ ତଦନ୍ତ କରିବାକୁ ଦାବି କରାଯାଉଛି ।