ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମ(ବିବାହ ପରେ ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା) ଅପରାଧ ନୁହେଁ। ଏହାକୁ ଅପରାଧ ଘୋଷିତ କରାଯିବାର କୌଣସି ଆବଶ୍ୟକତା ନାହିଁ। କାରଣ ଏଥିପାଇଁ ଅନ୍ୟ ଦଣ୍ଡାତ୍ମକ ନିୟମ ରହିଛି । ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷିତା କରିବା ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷେତ୍ରରେ ନାହିଁ । ବୈବାହିକ ଦୁଷ୍କର୍ମ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଏହା କହିଛନ୍ତି କେନ୍ଦ୍ର ସରକାର।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ କେବଳ ଆଇନ ନୁହେଁ ବରଂ ଏକ ସାମାଜିକ ପ୍ରସଙ୍ଗ । ଏ ପ୍ରସଙ୍ଗରେ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି । ବର୍ତ୍ତମାନର ଆଇନରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାବଧାନ ରହିଛି । ବୈବାହିକ ଦୁଷ୍କର୍ମକୁ ନେଇ କଠୋର ଦଣ୍ଡ ପ୍ରାବଧାନ ଲାଗୁ ହ େଲେ ବିବାହ ନାମରେ ସଂସ୍ଥାଗୁଡିକ ଉପରେ ଗୁରୁତର ସାମାଜିକ ଓ ଆଇନଗତ ପ୍ରଭାବ ପଡିବ । ସରକାର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପତ୍ନୀଙ୍କ ସହମତିର ଉଲ୍ଲଂଘନ କରିବାର କୌଣସି ଅଧିକାର ସ୍ୱାମୀ ପାଖରେ ନାହିଁ ।
ସରକାର କହିଛନ୍ତି, ବୈବାହିକ ଦୁଷ୍କର୍ମର ସମାଧାନ ପାଇଁ ବିକଳ୍ପ ଆଇନଗତ ପ୍ରାବଧାନ ରହିଛି । ଏଥିରେ ଆଇପିସିର ଧାରା ୩୫୪, ୩୫୪ଏ, ୩୫୪ବି ଓ ୪୯୮ଏ ରହିଛି । ଏହା ବ୍ୟତୀତ ଘରୋଇ ହିଂସା ମହିଳା ସଂରକ୍ଷଣ ଅଧିନିୟମ, ୨୦୦୫ ମଧ୍ୟ ଏହି ତାଲିକାରେ ରହିଛି । ଏହି ସବୁ ପ୍ରାବଧାନ ବୈବାହିକ ଜୀବନରେ ସହମତିର ଉଲ୍ଲଂଘନ ପାଇଁ ପର୍ଯ୍ୟାପ୍ତ ଆଇନର ଦିଗ ପ୍ରଦାନ କରୁଛି ।
ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାର ଜବାବରେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ଏକ ବିଶେଷ ନିୟମ ବ୍ୟତିକ୍ରମ-୨ ଅନୁସାରେ, ଯଦି ପତ୍ନୀ ନାବାଳିକା ନୁହେଁ, ତେବେ ସ୍ୱାମୀ ଦ୍ୱାରା ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବ ନାହିଁ । ନୂଆ ଆଇନରେ ବି ଧାରା ୬୩ର ବ୍ୟତିକ୍ରମରେ ଏହା ସ୍ପଷ୍ଟ କରାଯାଇଛି ଯେ ସ୍ତ୍ରୀ ସହ ସ୍ୱାମୀର ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ ।