ରାଜସ୍ଥାନ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର ଜୟପୁରରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସେ ସୋମବାର ଅଗଷ୍ଟ ୧୮ରେ ଏହି ସମ୍ମାନଜନକ ମୁକୁଟ ଜିତିଥିଲେ ।
ଏହି ଟାଇଟଲ ପାଇଁ ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ପରେ ରାଜସ୍ଥାନର ମନିକା ବିଜୟୀ ହୋଇ ଭାରତ ପାଇଁ ଗର୍ବ ଆଣିଛନ୍ତି । ଏହା ସହ ଉତ୍ତରପ୍ରଦେଶର ତାନ୍ୟା ଶର୍ମା ପ୍ରଥମ ରନର୍ସ ଅପ୍, ହରିୟାଣାର ମେହକ ଢ଼ିଙ୍ଗରା ଦ୍ୱିତୀୟ ରନର୍ସ ଅପ୍ ଏବଂ ଅମିଶୀ କୌଶିକ ତୃତୀୟ ରନର୍ସ ଅପ୍ ହୋଇଥିବା ଜଣାପଡ଼ିଛି ।
ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମନିକା ବିଶ୍ୱକର୍ମାଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ପିନ୍ଧାଇଥିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ର ବିଜୟିନୀ ରିଆ ସିଂହା । ସେ ତାଙ୍କୁ ମିଳିଥିବା ମୁକୁଟ ମନିକାଙ୍କୁ ପିନ୍ଧାଇଥିଲେ । ଜୁରି ସଦସ୍ୟମାନଙ୍କ ମଧ୍ୟରେ ମିସ୍ ୟୁନିଭର୍ସ ଇଣ୍ଡିଆର ମାଲିକ ନିଖିଲ ଆନନ୍ଦ, ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା, ପ୍ରସିଦ୍ଧ ବଲିଉଡ୍ ଷ୍ଟାଇଲିଷ୍ଟ ଅସଲେ ରୋବେଲୋ, ବଲିଉଡ୍ର ପ୍ରସିଦ୍ଧ ଲେଖକ-ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଭଳି ଲୋକପ୍ରିୟ ନାମ ସାମିଲ ଥିଲେ ।
ମନିକା ରାଜସ୍ଥାନର ଶ୍ରୀଗଙ୍ଗାନଗରର ବାସିନ୍ଦା ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ୨୩ ବର୍ଷୀୟା ମନିକା ୨୦୨୪ ମସିହାରେ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେବ୍ୟୁ କରିଥିଲେ । ମିସ୍ ୟୁନିଭର୍ସ ଇଣ୍ଡିଆ ଭଳି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବା ସହଜ ନୁହେଁ । ମନିକା କ୍ୟାଟୱାକ୍ ଠାରୁ ଫିଟନେସ୍, ଫ୍ୟାଶନ୍ ସେନ୍ସଠାରୁ ଯୋଗାଯୋଗ ଦକ୍ଷତା ପର୍ଯ୍ୟନ୍ତ ସବୁକିଛି ଉପରେ କଠିନ ପରିଶ୍ରମ କରିଥିଲେ । ଏହି ଆଗ୍ରହ ତାଙ୍କୁ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଅଲଗା କରି ଟପରେ ରଖିଥିଲା। ମନିକା ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିର ଶେଷ ବର୍ଷର ଛାତ୍ରୀ । ପାଠପଢା ସହିତ ସେ ଏହି ପ୍ରତିଯୋଗିତା ପାଇଁ ପ୍ରୟାସ ଜାରି ରଖିଥିଲେ ଏବଂ ଗତ ମିସ୍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତିଥିଲେ । ସେହି ବିଜୟ ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇଥିଲା ।
ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ । ମନିକା ଏବେ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିବେ, ଯାହା ନଭେମ୍ବର ୨୧, ୨୦୨୫ରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବ ।
ଅଧିକ ପଢନ୍ତୁ: ଆନ୍ଧ୍ରପ୍ରଦେଶର ସବୁ ବିମାନବନ୍ଦରରେ ଏଣିକି ଖୋଲିବ ବାର କିନ୍ତୁ ତାଲିକାରୁ ବାଦ୍ ରହିଛି ଏହି ସହର, ଜାଣନ୍ତୁ ନୂଆ ନୀତିରେ କ’ଣ ରହିଛି?