କାନପୁର: ସିନେମାର କାହାଣୀ ଭଳି ଏକ ସତ୍ୟ ଘଟଣା। ଠିକ୍ ‘ବିବାହ’ ଫିଲ୍ମର କ୍ଲାଇମାକ୍ସ ଭଳି ହସ୍ପିଟାଲର ବେଡ୍ ହେଲା ବିବାହ ମଣ୍ଡପ। ଦାଉଦାଉ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା କନ୍ୟାର ମଥାରେ ସିନ୍ଦୁର ପିନ୍ଧାଇ ସାତ ଜନ୍ମର ସାଥୀ ହେଲେ ବର। ଏହି ଦୃଶ୍ୟ ଦେଖି ହସ୍ପିଟାଲରେ ଉପସ୍ଥିତ ଡାକ୍ତର, ନର୍ସ, କର୍ମଚାରୀ ଓ ପରିବାରଲୋକଙ୍କ ଆଖି ଭିଜିଯାଇଥିଲା।
ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ। ଜଗନ୍ନାଥପୁର ଗାଁର ଶ୍ୱେତାଙ୍କ ବିବାହ କାନପୁରର ବିକାଶ ସିଂହଙ୍କ ସହ ନିର୍ଦ୍ଧାରିତ ହୋଇଥିଲା। ୧୪ ମେ’ରେ ବରଯାତ୍ରୀ ଆସିବାକୁ ଥିବାବେଳେ, ତା’ ପୂର୍ବଦିନ ହଳଦୀ ରସମ ସମୟରେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଆଉ ଦେଖୁ ଦେଖୁ ସବୁକିଛି ବଦଳିଗଲା। ଏଥିରେ କନ୍ୟା ଶ୍ୱେତାଙ୍କ ସହ ୧୨ ଜଣ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଶ୍ୱେତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଘଟଣା ପରେ ବର ବିକାଶ ହସ୍ପିଟାଲକୁ ଆସି ଶ୍ୱେତାଙ୍କୁ ଦେଖି ଗୋଟିଏ ନିଷ୍ପତ୍ତି ନେଲେ ବିବାହ ନିର୍ଦ୍ଧାରିତ ଦିନରେ ହିଁ ହେବ। ପରିବାର ଓ ହସ୍ପିଟାଲ ପ୍ରଶାସନର ସହଯୋଗରେ ୱାର୍ଡକୁ ଫୁଲରେ ସଜାଗଲା। ହସ୍ପିଟାଲ ଗାଉନ୍ ପିନ୍ଧିଥିବା ଶ୍ୱେତାଙ୍କ ମଥାରେ ବିକାଶ ସିନ୍ଦୁର ପିନ୍ଧାଇଥିଲେ। କେକ୍ କଟାଯାଇଥିଲା, ଆଉ ହସ୍ପିଟାଲ ହିଁ ପାଲଟିଯାଇଥିଲା ବିବାହ ମଣ୍ଡପରେ। ଏହି ଦୃଶ୍ୟ ଦେଖି ଡାକ୍ତର, ନର୍ସ ଠାରୁ ଆରମ୍ଭ କରି ପରିବାର ଲୋକଙ୍କ ଆଖି ଭିଜିଯାଇଥିଲା। କାରଣ ଏହା କେବଳ ବିବାହ ନୁହେଁ, ଏହା ଥିଲା ଭଲପାଇବା, ଭରସା ଓ ସମ୍ପର୍କର ଏକ ଅନନ୍ୟ ଉଦାହରଣ।
ଏଭଳି ନିଆରା ବିବାହକୁ ନେଇ ସ୍ୱାମୀ ବିକାଶ କହିଛନ୍ତି, “ଯେଉଁଦିନ ଆମ ସମ୍ପର୍କ ଠିକ୍ ହୋଇଥିଲା, ସେଦିନଠାରୁ ଶ୍ୱେତା ମୋର ସ୍ତ୍ରୀ"। ସୋସିଆଲ ମିଡିଆରେ ଏହାର ବିଭିନ୍ନ ଫୋଟୋ ଭିଡିଓ ଏବେ ଭାଇରାଲା ହେଉଛି, କେହି କେହି ଏହାକୁ ରିଅଲ ଲାଇଫ 'ବିବାହ' କହୁଛନ୍ତି, କାରଣ ପୂର୍ବରୁ ଆମେ 'ବିବାହ' ସିନେମାରେ ଏମିତି ଦୃଶ୍ୟ ହିଁ ଦେଖିଥିଲୁ, ଯାହା ଏବେ ସତରେ କାନପୁରର ଏହି ଦମ୍ପତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।