ନୂଆଦିଲ୍ଲୀ: ବାସଭବନରୁ ନଗଦ ଅର୍ଥରାଶି ମିଳିବା ମାମଲାରେ ଫସିଥିବା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶବନ୍ତ ବର୍ମାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦେଶ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବିଚାରପତି ଯଶବନ୍ତ ବର୍ମାଙ୍କଠାରୁ ନ୍ୟାୟିକ କାର୍ଯ୍ୟକୁ ପ୍ରତ୍ୟାହାର କରାଯାଇଛି । ମାନ୍ୟବର ଦିଲ୍ଲୀ ହାଇକୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶ ସଞ୍ଜୀନ ଖନ୍ନା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ତାଙ୍କଠାରୁ ନ୍ୟାୟିକ କାର୍ଯ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ତାଙ୍କ ବିରୋଧରେ ଆଗାମୀ କାର୍ଯ୍ୟପନ୍ଥା ପରବର୍ତ୍ତୀ ଯାଞ୍ଚ ପରେ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ପାଇଁ 3 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବୈଠକ ଡାକିଛନ୍ତି ।
ସେପଟେ ଯଶବନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ମିଳିବା ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ରବିବାର ଦିନ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନ ବାହାରେ ପୋଡ଼ା ଯାଇଥିବା ନୋଟ୍ ଜବତ ପଡ଼ିଥିବା ଦେଖିବାକୁ ମିଳିଛି । ଶୁଖିଲା ପତ୍ର ଭିତରେ ଅଧା ପୋଡ଼ା ପାଞ୍ଚ ଶହ ଟଙ୍କିଆ ନୋଟ ମିଳିଛି । କୁହାଯାଉଛି କି ଗତ 14 ମାର୍ଚ୍ଚ ରାତିରେ ନିଆଁ ଲାଗିବା ଘଟଣା ପରେ ଷ୍ଟୋର ରୁମକୁ ସଫା କରିବାବେଳେ ଏହି ନୋଟକୁ ସଫେଇ କର୍ମଚାରୀମାନ ଅଳିଆ ଡବାରେ ଫୋପାଡ଼ି ଦେଇଛନ୍ତି । ତେବେ ପୋଲିସ ଉକ୍ତ ନୋଟକୁ ଜବତ କରି ନ ଥିବା ଜଣାପଡ଼ିଛି ।