ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରୁ ପୁଣି ଏକ ଦୁଃଖଦ ଖବର ଆସିଛି । ସୋମବାର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ୫ ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ସହୀଦଙ୍କ ମଧ୍ୟରେ ସେନାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ସମସ୍ତ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ତ୍ୟାଗ କରିଛନ୍ତି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ଡୋଡାରୁ ୫୫ କିଲୋମିଟର ଦୂର ଦେସା ଜଙ୍ଗଲରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଚାଲିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହା ପରେ ସୋମବାର ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ରାତ୍ରି ପ୍ରାୟ ୯ଟା ସମୟରେ ଆତଙ୍କବାଦୀଙ୍କ ଠିକଣା ପାଇବାରେ ସଫଳ ହୋଇଥିଲା । ଏହା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ଆତଙ୍କବାଦୀ ସେନା ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟରେ ୫ ଜଣ ଭାରତୀୟ ଯବାନଙ୍କ ଦେହରେ ଗୁଳି ବାଜି ଥିଲା । ସମସ୍ତ ଯବାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସମସ୍ତ ଗୁରୁତର ଯବାନ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି । ମଙ୍ଗଳବାର ସକାଳୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ତେବେ ଆତଙ୍କବାଦୀ ସଙ୍ଗଠନ କାଶ୍ମୀର ଟାଇଗର୍ସ ଏହି ହମଲା ପାଇଁ ନିଜକୁ ଦାୟୀ କରିଛି । ଏହି ସଙ୍ଗଠନ ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନ ସହିତ ଜଡ଼ିତ ଅଛି । ଏହି ସଙ୍ଗଠନ ନିକଟ ଅତୀତରେ କଠୁଆରେ ହୋଇଥିବା ଏହି ସଙ୍ଗଠନ ଆତଙ୍କୀ ଆକ୍ରମଣରେ ସାମିଲ ଥିଲା ।
ସୂଚନା ଥାଉକି, ଗତ କିଛି ସପ୍ତାହ ହେବ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ରବିବାର କୁପୱାଡ଼ାରେ ୪ ଆତଙ୍କବାଦୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ ।