ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଳ୍ଲିକଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ଶେଷରେ ସେ ଆଖିବୁଜିଛନ୍ତି । ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ସେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ମେ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସତ୍ୟପାଲ ମଲିକ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ପୂର୍ବତନ ଜମ୍ମୁ ଓ କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ୫ ଅଗଷ୍ଟ ୨୦୧୯ ରେ ଧାରା ୩୭୦ ରଦ୍ଦ କରାଯାଇଥିଲା ଏବଂ ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ କରାଯାଇଥିଲା ଏବଂ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ - ଜମ୍ମୁ ଓ କାଶ୍ମୀର ଠାରୁ ଲଦାଖ ଅଲଗା ହୋଇଥିଲା । ସଂଯୋଗବଶତଃ, ଆଜି ଏହି ନିଷ୍ପତ୍ତିର ଷଷ୍ଠ ବାର୍ଷିକୀ ଏବଂ ଏହି ଦିନ ସତ୍ୟପାଲ ମଲିକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଅକ୍ଟୋବର ୨୦୧୭ ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲିକ। ତାଙ୍କୁ ୨୧ ମାର୍ଚ୍ଚ ୨୦୧୮ ରୁ ୨୮ ମଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ସତ୍ୟପାଲ ମଲିକଙ୍କ ରାଜନୈତିକ ଯାତ୍ରା
ସତ୍ୟପାଲ ମଲିକ ୨୪ ଜୁଲାଇ ୧୯୪୬ରେ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ହିସାୱାଡା ଗାଁରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମେରଠ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି କରିଥିଲେ। ୧୯୬୮-୬୯ ମସିହାରେ, ସେ ମେରଠ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ, ଯାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଥିଲା। ରାଜନେତା ଭାବରେ ତାଙ୍କର ପ୍ରଥମ ପ୍ରମୁଖ କାର୍ଯ୍ୟକାଳ ୧୯୭୪-୭୭ ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଭାବରେ ଥିଲା। ସେ ୧୯୮୦ ରୁ ୧୯୮୬ ଏବଂ ୧୯୮୬-୮୯ ପର୍ଯ୍ୟନ୍ତ ରାଜ୍ୟ ସଭାରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳର ସଦସ୍ୟ ଭାବରେ ଆଲିଗଡ଼ରୁ ୯ମ ଲୋକସଭାର ସଦସ୍ୟ ଥିଲେ।
ସେ ଲୋକଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ
ସତ୍ୟପାଲ ମଲିକଙ୍କୁ ୧୯୮୦ ମସିହାରେ ଚୌଧୁରୀ ଚରଣ ସିଂହଙ୍କ ନେତୃତ୍ୱାଧୀନ ଲୋକଦଳ ରାଜ୍ୟସଭାକୁ ମନୋନୀତ କରିଥିଲେ। କିନ୍ତୁ ସେ ୧୯୮୪ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ୧୯୮୬ ମସିହାରେ ରାଜ୍ୟସଭାକୁ ପଠାଇଥିଲା। ବୋଫର୍ସ ଦୁର୍ନୀତିର ପର୍ଦ୍ଦାଫାସ ହେବା ପରେ ସେ ୧୯୮୭ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ଭି.ପି. ସିଂହଙ୍କ ସହିତ ଯୋଗ ଦେଇଥିଲେ। ୧୯୮୯ ମସିହାରେ, ସେ ଜନତା ଦଳ ପ୍ରାର୍ଥୀ ଭାବରେ ଆଲିଗଡ଼ରୁ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ୧୯୯୦ ମସିହାରେ କିଛି ସମୟ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।