ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି, ଯେଉଁ ପାଣିକୁ ଆପଣ ବାହାରେ ବ୍ରାଣ୍ଡେଡ ଭାବି କିଣିକି ପିଉଛନ୍ତି, ତାହା ନକଲି ବି ହୋଇପାରେ । ଆପଣଙ୍କ ଟିକିଏ ଅସାବଧାନତା ଭାରି ପଡ଼ିପାରେ । କାରଣ ଆପଣ ବିଶୃଦ୍ଧ ପାଣି ପାଇଁ ବିସଲେରି ବୋତଲ କିଣି ପାଣି ପିଉଥିବେ, ହେଲେ ତାହା ବିସଲେରି ନ ହୋଇ ବିଲସେରି ହୋଇ ନକଲି ପାଲଟିବ । ଏଭଳି ଘଟଣା ବର୍ତ୍ତମାନ ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଛି । ନୋଏଡା ସ୍ଥିତ କାସନା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ନକଲି ପାଣି ବୋତଲ ତିଆରି କାରଖାନା ଠାବ ହୋଇଛି । ଯେଉଁଠାରେ ବିସଲେରୀ ନାଁକୁ ପରିବର୍ତ୍ତନ କରି ବିଲସେରି କରାଯାଇଛି ।
ପ୍ରକୃତରେ ବିସଲେରୀ ହେଉଛି ଏକ ଲୋକପ୍ରିୟ ୱାଟର ବୋତଲ । ଏହା ହେଉଛି ଏକ ସ୍ୱତନ୍ତ୍ର ବ୍ରାଣ୍ଡ । ଦେଶର ଅଧିକାଂଶ ଲୋକେ ଏହି ବ୍ରାଣ୍ଡର ପାଣି ପିଇବାକୁ ପସନ୍ଦ କରନ୍ତି, ହେଲେ ନୋଏଡାର ଏକ ନକଲି କମ୍ପାନୀ ଏହି ନାଁକୁ ପରିବର୍ତ୍ତନ କରି କେବଳ ଏସ୍(S) ସ୍ଥାନରେ ଏଲ୍(L)କୁ ବଦଳାଇ ବଜାରରେ ବିକ୍ରି କରୁଛି । ଯାହାକୁ ଲୋକେ ହଠାତ୍ ବିସଲେରୀ ନୁହେଁ ବୋଲି ଜାଣି ନ ପାରି କିଣି ଚାଲିଥିଲେ । ଏହି ନକଲି କାରଖାନାକୁ ଠାବ କରିବା ସହ ଖାଦ୍ୟ ନିରାପତ୍ତା ବିଭାଗ ଏହାକୁ ସିଜ୍ କରିଛି ।
ତେବେ ଅଧିକାରୀଙ୍କ କହିବା ମୁତାବିକ, ବିସଲେରୀର ପ୍ରକୃତ ଏହାର ଇଂରାଜୀ ବନାନ ହେଉଛି- BISLERI କିନ୍ତୁ ଅନେକ ନକଲି କମ୍ପାନୀ ଏହାକୁ BILSERI ଯାହା S ଏବଂ L ର ସ୍ଥାନ ପରିବର୍ତ୍ତନ କରି ଅବିକଳ ପାକେଜିଙ୍ଗରେ ବିକ୍ରି କରୁଥିଲେ । ସାଧାରଣତଃ ଲୋକେ ସାମଗ୍ରୀ କିଣିବା ବେଳେ ଏହାର ରଙ୍ଗ ଓ ଡିଜାଇନ୍ ଦେଖିଥାନ୍ତି । ଏପରି ସ୍ଥିତିରେ ନକଲି ବୋତଲ ବିସଲେରୀ ଭଳି ଲେଖା ଦିଶୁଥିବାରୁ ଲୋକମାନେ ଏହା ଜାଣି ନ ପାରି କିଣୁଥିଲେ ।
ଖାଦ୍ୟ ନିରାପତ୍ତା ବିଭାଗ ଏହି ବେଆଇନ ଭାବେ ତିଆରି ହେଉଥିବା ବୋତଲ କମ୍ପାନୀ ଉପରେ ସିଜ କରି ଏଥିରେ ରୋକ ଲଗାଇଛି । ଖାଦ୍ୟ ନିରାପତ୍ତା ମୁଖ୍ୟ ସର୍ବେଷ କୁମାର କହିଛନ୍ତି ଦୁଇଟି ସ୍ଥାନରୁ ମୋଟ ୧୩,୧୦୮ଟି ବୋତଲ ସଂଗ୍ରହ କରିଯାଇଛି ଏବଂ ଦୁଇ କମ୍ପାନୀ ମାଲିକଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବାର ନିଷ୍ପତି ନିଆଯାଇଛି । ଏହା ସହିତ ଲୋକମାନେ ମଧ୍ୟ କିଣିବା ବେଳେ ସର୍ତକତାର ସହ ନୀରିକ୍ଷଣ କରି ସମାଗ୍ରୀ କିଣିବା ଆବଶ୍ୟକ ବୋଲି ସେ କହିଛନ୍ତି ।