ନୂଆଦିଲ୍ଲୀ: ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି । ତେହରାନ ସ୍ଥିତ ଭାରତୀୟ ଦୂତାବାସ ତାର ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହୁଥିବା ସମସ୍ତ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହା ଜାରି ହୋଇଛି ।
ଦୂତାବାସ ପକ୍ଷରୁ ସୂଚିତ କରାଯାଇଛି ଯେ ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥାରେ ମାଧ୍ୟମରେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଭାରତୀୟ ନାଗରିକ ଏବଂ ପିଆଇଓମାନେ ସତର୍କତା ଅବଲମ୍ବନ କରିବା ଉଚିତ । ପ୍ରତିବାଦ କିମ୍ବା ପ୍ରଦର୍ଶନ କ୍ଷେତ୍ରକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଇରାନରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି ।
ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଏବଂ ପ୍ରବାସନ ଡକ୍ୟୁମେଣ୍ଟ, ପାସପୋର୍ଟ ଏବଂ ପରିଚୟପତ୍ର ସମେତ ସମସ୍ତ କାଗଜପତ୍ର ନିଜ ସାଥିରେ ରଖନ୍ତୁ ।
ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ଭାରତୀୟ ଦୂତାବାସର ଜରୁରୀକାଳୀନ ସହାୟତା ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି । ସେହି ନମ୍ବରଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯,+୯୮୯୧୨୮୧୦୯୧୦୨ ଏବଂ +୯୮୯୯୩୨୧୭୯୩୫୯ ।