ନୂଆଦିଲ୍ଲୀ: ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଭୂମି କମ୍ପରେ ଥରିଛି ପୂର୍ବ ଭାରତ । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ଭୂକମ୍ପ ହୋଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ବଙ୍ଗୋପସାଗରରେ ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗତ କିଛି ଦିନ ହେବ ଭୂମି କମ୍ପ ହେଉଥିବାର ଦେଖାଯାଉଛି ।
ଓଡ଼ିଶାର ଭୁବନେଶ୍ୱର, ପାରାଦ୍ୱୀପ, ଯାଜପୁର, ବାଲେଶ୍ୱର, ସମ୍ବଲପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ସକାଳ ୬.୧୦ ମିନିଟ ସମୟରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରହିଥିବା ବେଳେ ଭୂମିକମ୍ପର ଉତ୍ପତି ସ୍ଥଳ ବଙ୍ଗୋପସାଗର ରହିଛି । ଉତ୍ପତ୍ତିସ୍ଥଳଟି ପୂର୍ବ ଉପକୂଳ ଠାରୁ ୯୧କିମି ଦୂରରେ ରହିଛି । କେନ୍ଦ୍ରସ୍ଥଳୀ ଭୁବନେଶ୍ୱର ଠାରୁ ୨୯୭ କିମି, ପୁରୀ ଠାରୁ ୨୮୬ କିମି ଓ ବ୍ରମହାପୁର ଠାରୁ ୩୯୪ କିମି ଦୂରରେ ରହିଛି । ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।
ସେହିପରି ମଙ୍ଗଳବାର ସକାଳେ କୋଲକାତାରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ଏବଂ ୯୧ କିଲୋମିଟର ଗଭୀରତାରେ ଥିଲା । କୋଲକାତା ନିକଟରେ ଭୂମିକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ନିଶ୍ଚିତ କରାଯାଇଛି । ଅନ୍ୟପକ୍ଷରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଭୂମିକମ୍ପ ଝଟକା ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା । ସୌଭାଗ୍ୟବଶତଃ, କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ନାହିଁ ।