ନୂଆଦିଲ୍ଲୀ: ଆଜି ହେଉଛି ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ଦ୍ୱିତୀୟ ଦିନ । ଶାସକ ବିଜେପି ସରକାର ମଙ୍ଗଳବାର ଗୃହରେ ସିଏଜି ରିପୋର୍ଟ ଦାଖଲ କରିବେ । ଯାହାକି ପୂର୍ବ ଆପ୍ ସରକାରର ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଯେଉଁ ରିପୋର୍ଟରେ ସୀସ ମହଲଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ତଥ୍ୟ ଆସିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହୁଥିବା ବଙ୍ଗଳାର ମଧ୍ୟ ଗୁମର ଖୋଲିବ । ସିଏଜି ରିପୋର୍ଟ ଦାଖଲ ବେଳେ ଗୃହରେ ଜୋରଦାର ହଙ୍ଗାମାର ବେଶ ସମ୍ଭାବନା ରହିଛି ।
ଦିଲ୍ଲୀର 6 ଫ୍ଲାଗ୍ ଷ୍ଟାଫ୍ ରୋଡ୍ରେ ଥିବା ବଙ୍ଗଳାକୁ ନବୀକରଣ ପାଇଁ ଅରବିନ୍ଦ କେଜ୍ରିୱାଲ ନିୟମ ଉଲ୍ଲଂଘନ କରି କ୍ୟାମ୍ପ ଅଫିସ୍ ଏବଂ ଷ୍ଟାଫ୍ ବ୍ଲକକୁ ଏଥିରେ ମିଶ୍ରଣ କରିଥିଲେ । ୬ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ମରାମତି କାର୍ଯ୍ୟ ପାଇଁ, ପିଡବ୍ଲ୍ୟୁଡି ଟାଇପ୍ VII ଏବଂ VIII ବାସଭବନ ପାଇଁ କେନ୍ଦ୍ରୀୟ ପବ୍ଲିକ୍ ୱାର୍କସ୍ ବିଭାଗ (CPWD) ଦ୍ୱାରା ପ୍ରକାଶିତ ପ୍ଲିନ୍ଥ ଏରିଆ ରେଟ୍ ଗ୍ରହଣ କରି ୭.୯୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଏହି କାର୍ଯ୍ୟକୁ ଦିଲ୍ଲୀ ପବ୍ଲିକ୍ ୱାର୍କସ୍ ବିଭାଗ ପକ୍ଷରୁ ଅତ୍ୟାବଶ୍ୟକ ଘୋଷଣା କରାଯାଇଥିଲା । ଏହି ବଙ୍ଗଳାର ସମ୍ପୂର୍ଣ୍ଣ ନବୀକରଣ କାର୍ଯ୍ୟ କରୋନା ସମୟରେ ସମାପ୍ତ ହୋଇଥିଲା।
ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଗତକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଗତକାଲି ଅଧିବେଶନର ପ୍ରଥମ ଦିନ ରହିଥିଲା । ରେଖା ଗୁପ୍ତା ସହିତ ଅନ୍ୟ ନବନିର୍ବାଚିତ ବିଧାୟକମାନେ ଗୃହର ସଦସ୍ୟଭାବେ ଶପଥ ନେଇଥିଲେ । ସେହିପରି ଦିଲ୍ଲୀ ବିଧାନସଭାର ବାଚସ୍ପତି ହୋଇଛନ୍ତି ବିଜେନ୍ଦ୍ର ଗୁପ୍ତା ।