ନୂଆଦିଲ୍ଲୀ: ଦେବଭୂମି ଉତ୍ତରାଖଣ୍ଡରେ ପୁଣି ଥରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ହର୍ଷିଲ ନିକଟସ୍ଥ ଖୀର ଗାଡ଼ରେ ଥିବା ଧରାଲୀରେ ବାଦଲଫଟା ବର୍ଷାରେ ସବୁ ଛିନ୍ନବିଚ୍ଛିନ୍ନ ହୋଇଯାଇଛି । ମଙ୍ଗଳବାର ଦିବା ପ୍ରାୟ ଦେଢ଼ଟା ସମୟରେ ହୋଇଥିବା ଭୟଙ୍କର ବର୍ଷାରେ ପାହାଡ଼ ଧସିଛି । ଫଳରେ ଘରଦ୍ୱାର, ହୋଟେଲ୍, ଲଜ୍, ଦୋକାନ ଆଦିକୁ ଭସାଇ ନେଇଛି । ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସେନା, ଆଇଟିବିପି ଏବଂ ଏନଡିଆରଏଫ୍ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆନୁଷ୍ଠାନିକ ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ୦୧୩୭୪୨୨୨୧୨୬ ଓ ୯୪୫୬୫୫୬୪୩୧ ଜାରି କରାଯାଇଛି ।
ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ମୁତାବକ ୧୯୭୮ ମସିହା ଅଗଷ୍ଟ ୫ ତାରିଖରେ କଞ୍ଜୋଡ଼ିଆ ନାମକ ସ୍ଥାନରେ ସମାନ ଧରଣର ବନ୍ୟା ଆସିଥିଲା । ସେହିପରି ବର୍ଷା ଧରାଲୀରେ ହୋଇଛି । ଯେଉଁଥିରେ ହୋଟେଲ୍, ଲଜ୍, ମାର୍କେଟ ଏବଂ ଗାଁକୁ ଧୋଇ ନେଇଛି । ସେହିପରି ବାଦଲ ଫଟା ବର୍ଷାରେ ଗଙ୍ଗୋତ୍ରୀ ଧାମ ସହିତ ଜିଲ୍ଲା ମୁଖ୍ୟାଳୟର ଯୋଗାଯୋଗ ସମ୍ପୂର୍ଣ୍ଣ ଛିନ୍ନ ହୋଇଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶାହଙ୍କୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି ।