ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଅନେକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୦ରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । ଦୁର୍ଘଟଣା ପରେ ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ହୋଇଛି ।
ଖବର ମୁତାବକ, ଟ୍ରେନ ନମ୍ବର ୬୮୭୩୩ କୋରବା ପାସେଞ୍ଜର ଟ୍ରେନ ମାଲଗାଡି ସହିତ ବିଳାସପୁର ଷ୍ଟେସନରେ ଧକ୍କା ହୋଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ବିଳାସପୁର ଷ୍ଟେସନ ନିକଟରେ ଏକ ମାଲଗାଡ଼ି ସହିତ ପାସେଞ୍ଜର ମେମୁ ଟ୍ରେନ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଯାତ୍ରୀବାହୀ ଟ୍ରେନଟି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା।
ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆରପିଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଟ୍ରାକରେ ମାଲଗାଡ଼ି ଅଟକି ରହିଥିବାବେଳେ ଯାତ୍ରୀବାହୀ ଟ୍ରେନଟି ତାହାକୁ ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ପାସେଞ୍ଜର ମେମୁ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଆହତଙ୍କ ମଧ୍ୟରୁ ଅନେକ ମହିଳା ଓ ଶିଶୁ ରହିଛନ୍ତି। ବଗି ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି।
ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସେହିପରି ଗୁରୁତର ଆହତଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଥିବାବେଳେ, ସାମାନ୍ୟ ଆହତ ଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି ରେଳବିଭାଗ।