ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀ ମାନଙ୍କୁ ଛୁଟିକୁ ନେଇ ବଡ଼ ଘୋଷଣା କରିଛନ୍ତି । ଅଙ୍ଗଦାନ ପାଇଁ କର୍ମଚାରୀଙ୍କୁ ମିଳିବ ୪୨ ଦିନର ଛୁଟି (କାଜୁଆଲ୍ ଲିଭ୍) । ତେବେ ମୋଦୀ ସରକାର ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ବଡ଼ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅଙ୍ଗଦାନ କରିବାକୁ ଇଚ୍ଛୁକ ଥିବା କର୍ମଚାରୀଙ୍କ ଅପରେସନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ସରକାରୀ ଡାକ୍ତରଙ୍କ ସୁପାରିଶରେ ସର୍ବାଧିକ ୪୨ ଦିନ ପାଇଁ ଏହା ଉପଲବ୍ଧ ହୋଇପାରିବ । ଏହା ସାଧାରଣତଃ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠାରୁ ଆରମ୍ଭ ହେବ । କିନ୍ତୁ ଆବଶ୍ୟକ ହେଲେ ଅସ୍ତ୍ରୋପଚାରର ଗୋଟିଏ ସପ୍ତାହ ପୂର୍ବରୁ ନିଆଯାଇପାରିବ ।
ତେବେ ପୂର୍ବରୁ କେନ୍ଦ୍ର ସରକାର ଏହା ପୂର୍ବରୁ ଏଥିପାଇଁ ୩୦ ଦିନର କାଜୁଆଲ୍ ଲିଭ୍ ରଖିଥିଲେ, ଏବେ ତାହାକୁ ୪୨ ଦିନକୁ ବୃଦ୍ଧି କରାଯାଇଛି । ଛୁଟି ବ୍ୟତୀତ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ପାଇଁ ଔଷଧ, ଗୁରୁତର ରୋଗର ଚିକିତ୍ସା ତଥା ଯେକୌଣସି ପ୍ରକାରର ପରୀକ୍ଷା ଇତ୍ୟାଦି ଖର୍ଚ୍ଚ ବହନ କରନ୍ତି। ଆବଶ୍ୟକତା ଅନୁଯାୟୀ ସରକାର କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ଏବଂ ସୁବିଧା ଯୋଗାଇ ଦେଉଛନ୍ତି। ଏଥି ସହିତ କିଛି ଯୋଜନା ପାଇଁ ଚିକିତ୍ସା ଖର୍ଚ୍ଚ ଉପରେ ସବସିଡି ମଧ୍ୟ ପ୍ରଦାନ କରାଯାଇଛି।
ନଜର ପକାନ୍ତୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳୁଥିବା ପ୍ରମୁଖ ସୁବିଧା
ସ୍ବାସ୍ଥ୍ୟ ସୁବିଧା : CGHS (କେନ୍ଦ୍ରୀୟ ସରକାରୀ ସ୍ୱାସ୍ଥ୍ୟ ଯୋଜନା) ଅଧୀନରେ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଳ୍ପ ଟଙ୍କାରେ ଚିକିତ୍ସା, ଔଷଧ ଏବଂ ହସ୍ପିଟାଲରେ ଭର୍ତ୍ତି ସୁବିଧା ମିଳେ । ତେବେ ଅବସର ପରେ ମଧ୍ୟ CGHSର ଲାଭ ଉଠାଇ ପାରିବେ ।
ଚିକିତ୍ସା ଛୁଟି ଏବଂ ପ୍ରସୂତିଙ୍କ ପାଇଁ ସୁବିଧା : ମହିଳାଙ୍କୁ ୬ ମାସର ପ୍ରସୂତି ଛୁଟି ଏବଂ ପୁରୁଷମାନଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ କରାଯାଏ । ଗୁରୁତର ଅସୁସ୍ଥତା କିମ୍ବା ଦୁର୍ଘଟଣା କ୍ଷେତ୍ରରେ ଦୀର୍ଘ ଚିକିତ୍ସା ଛୁଟିର ସୁବିଧା ମିଳିପାରିବ ।
ପେନସନ୍ ଏବଂ ଗ୍ରାଚ୍ୟୁଇଟି : ସରକାରୀ କର୍ମଚାରୀମାନେ ଅବସର ପରେ ପେନସନ୍, ଗ୍ରାଚ୍ୟୁଇଟି ଏବଂ ପିଏଫ (ପ୍ରୋଭିଡେଣ୍ଟ ଫଣ୍ଡ)ର ସୁବିଧା ପାଇଥାନ୍ତି । ନୂତନ ପେନସନ୍ ଯୋଜନା (NPS) ଅଧୀନରେ ପ୍ରତି ମାସରେ ଦରମାରୁ କିଛି ଟଙ୍କା କଟାଯାଏ ଯାହା ଅବସର ପରେ ପେନସନ୍ ଆକାରରେ ଦିଆଯାଇଥାଏ ।
ବାସସ୍ଥାନ ଏବଂ ଯାତ୍ରା ସୁବିଧା: ସରକାରୀ କର୍ମଚାରୀମାନେ ପ୍ରତି ୪ ବର୍ଷରେ ଥରେ ଛୁଟି ଯାତ୍ରା ରିହାତି (LTC) ଅଧୀନରେ ବିମାନ/ରେଳ ଯାତ୍ରାରେ ରିହାତି ପାଆନ୍ତି । ସରକାରୀ କ୍ୱାର୍ଟର କିମ୍ବା ଘର ଭଡ଼ା ଭତ୍ତା (HRA) ସୁବିଧା ଯୋଗାଇ ଦିଆଯାଇଛି ।
ଶିକ୍ଷା ଏବଂ ପିଲାମାନଙ୍କ ପାଇଁ ମେଧାବୃତ୍ତି: କର୍ମଚାରୀଙ୍କ ପିଲାମାନଙ୍କୁ ସେମାନଙ୍କ ପାଠପଢ଼ା ପାଇଁ ବୃତ୍ତି ଏବଂ ଶିକ୍ଷା ଭତ୍ତା ଦିଆଯାଏ । କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରାଥମିକତା ଦିଆଯାଏ ।
ସ୍ୱତନ୍ତ୍ର ଛୁଟି ଏବଂ ପର୍ବପର୍ବାଣୀ: ସରକାରୀ କର୍ମଚାରୀମାନେ ଜାତୀୟ ଏବଂ ଗେଜେଟେଡ୍ ଛୁଟି ବ୍ୟତୀତ ଅନେକ ସ୍ୱତନ୍ତ୍ର ଛୁଟି ପାଆନ୍ତି । ପର୍ବପର୍ବାଣୀ ସମୟରେ ସୁଧମୁକ୍ତ ଅଗ୍ରିମ ଋଣ ନେବାର ସୁବିଧା ଅଛି ।
ନୂତନ ପେନସନ୍ ଯୋଜନା : ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ଯୋଜନା ୧ ଏପ୍ରିଲ ୨୦୨୫ ରୁ କାର୍ଯ୍ୟକାରୀ ହେବ । ଏହି ନୂତନ ପେନସନ୍ ଯୋଜନା ଅନୁଯାୟୀ ଯଦି ଜଣେ କର୍ମଚାରୀ ୨୫ ବର୍ଷ ଧରି କାମ କରିଛନ୍ତି ତେବେ ଅବସର ପୂର୍ବରୁ ଚାକିରିର ଶେଷ ୧୨ ମାସର ମୂଳ ଦରମାର ୫୦% ମଧ୍ୟ ପେନସନ୍ ଭାବରେ ପାଇବେ । ଯଦି ଜଣେ କର୍ମଚାରୀ ୧୦ ବର୍ଷ ପରେ ଚାକିରି ଛାଡିଦିଏ ତେବେ ତାଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ୍ ମିଳିବ । ଏହା ଦ୍ୱାରା ପ୍ରାୟ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏହି ଯୋଜନା ୧ ଏପ୍ରିଲ ୨୦୨୫ରୁ କାର୍ଯ୍ୟକାରୀ ହୋଇଛି ।
ଅଧିକ ପଢନ୍ତୁ: ରାତିସାରା ଚାଲିଲା ବିଧାନସଭା, ପ୍ରାୟ ୧୨ ଘଣ୍ଟାର ଆଲୋଚନା, ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍