ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ଗୁରୁବାର ଇଣ୍ଡି ସମର୍ଥିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଛନ୍ତି । ଇଣ୍ଡି ମେଣ୍ଟର ତମାମ ନେତୃବୃନ୍ଦଙ୍କ ଉପସ୍ଥିତିରେ ସୁଦର୍ଶନ ରେଡ୍ଡୀ ସଂସଦ ଭବନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏନଡିଏ ଭଳି ବିରୋଧୀ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ନାମାଙ୍କନ ଦାଖଲବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ, ଡିଏମକ ସାଂସଦ ତିରୁଚି ଶିବା, ଶିବସେନା (ୟୁବିଟି)ର ସଞ୍ଜୟ ରାଉତ ଏବଂ ଅନ୍ୟ ବରିଷ୍ଠ ନେତୃଗଣ ମଧ୍ୟ ଉପସ୍ଥିତ ଥିଲେ ।
ସୁଦର୍ଶନ ରେଡ୍ଡୀଙ୍କ ଯୋଗ୍ୟତା ଏବଂ କାର୍ଯ୍ୟ
ସୁଦର୍ଶନ ରେଡ୍ଡୀ ସୁପ୍ରିମକୋର୍ଟ ବିଚାରପତି କାର୍ଯ୍ୟ ତୁଲାଇ ସାରିଛନ୍ତି । ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ଥିଲେ । ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ସୁଦର୍ଶନ ରେଡ୍ଡୀ ଆନ୍ଧ୍ରରେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ରେଡ୍ଡୀ ଓସମାନିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ଆଇନଜୀବୀ କେ ପ୍ରତାପ ରେଡ୍ଡୀଙ୍କ ଅଧୀନରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଅଗଷ୍ଟ, ୧୯୮୮ ରେ ହାଇକୋର୍ଟରେ ସରକାରୀ ଓକିଲ, ୧୯୯୩ରେ ଆନ୍ଧ୍ରପ୍ରଦେଶର ଅତିରିକ୍ତ ବିଚାରପତି, ୨୦୦୫ରେ ଗୌହ୍ୱାଟି ହାଇକୋର୍ଟର ମୁଖ୍ୟ ବିଚାରପତି, ୨୦୦୭ରେ ସୁପ୍ରିମକୋର୍ଟ ବିଚାରପତି ଏବଂ ୨୦୧୩ରେ ରେଡ୍ଡୀଙ୍କୁ ଗୋଆର ଲୋକାୟୁକ୍ତ ଭାବରେ ନିଯୁକ୍ତ କରାଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକୃଷ୍ଣନ ନାମାଙ୍କନ ଭରିସାରିଛନ୍ତି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।