ନୂଆଦିଲ୍ଲୀ: ଭାରତରେ ମୌସୁମୀ ଆରମ୍ଭ ହେବା ମାତ୍ରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଏ ବନ୍ୟା ବିଭୀଷିକା । କେଉଁଠି ବାଦଲ ଫଟା ବର୍ଷା ତ ଆଉ କେଉଁଠି ପ୍ରବଳ ବର୍ଷାରେ ନଦୀ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଆସୁଛି । ଏହା ଦ୍ୱାରା ଲକ୍ଷାଧିକ ଲୋକ ପ୍ରତିବର୍ଷ ପୀଡ଼ିତ ହେଉଛନ୍ତି । ପ୍ରତିବର୍ଷ ଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳ ସଂଖ୍ୟା ୫% ପ୍ରତିଶତ ବୃଦ୍ଧି ପାଉଛି । ଯାହାକି ପୂର୍ବ ବର୍ଷ ତୁଳନା ଗୁଡ଼ିକରେ ପ୍ରାୟ ୭୧ ପ୍ରତିଶତ ଅଧିକ ଅଟେ । ଏହି ତଥ୍ୟ ମାଇକ୍ରୋସପ୍ଟର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଡାଟାବେସକୁ ନେଇ ସିଏସଇ ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।
ସିଏସ୍ଇର ରିପୋର୍ଟ ଦେଖିଲେ ମନରେ ଏକ ଭୟ ଉତ୍ପନ୍ନ ହେଉଛି । ମାଇକ୍ରୋସପ୍ଟର ଏଆଇ ଫର୍ ଗୁଡ୍ ଲ୍ୟାବ ସେଣ୍ଟିନଲ-୧ ରଡାର ସେଟେଲାଇଟ ଇମେଜରୀ ଏବଂ ଡିପ୍ ଲର୍ଣ୍ଣିଂ ମଡେଲର ଉପଯୋଗ କରି ଏକ ବୈଷୟିକ ବନ୍ୟା ଆକଳନ ରିପୋର୍ଟ ପ୍ରସ୍ତୁତ କରିଛି । ଏଥିରେ ବିଗତ ୧୦ ବର୍ଷର ଅର୍ଥାତ୍ ୨୦୧୪ରୁ ୨୦୨୪ ପର୍ୟ୍ୟନ୍ତ ହୋଇଥିବା ବନ୍ୟାର ଏକ ସାଟେଲାଇଟ୍ ଚିତ୍ରକୁ ବିଶ୍ଳେଷଣ କରାଯାଇଛି । ଏଥିରେ କେବଳ ଅତୀତରେ ଆସିଥିବା ବନ୍ୟା ସମ୍ପର୍କରେ ଦର୍ଶାଯାଇ ନାହିଁ ବରଂ ଭବିଷ୍ୟତରେ ବନ୍ୟାର ରୂପ କେମିତି ରହିବ ତାହାର ମଧ୍ୟ ତଥ୍ୟ ଦିଆଯାଇଛି । ଏହାର ତଥ୍ୟ ଜନତାଙ୍କ ପାଇଁ ଅନଲାଇନରେ ଉପଲବ୍ଧ ଅଟେ । ଭାରତକୁ ବିଶ୍ୱର ବନ୍ୟା ହଟସ୍ପଟ୍ ବୋଲି ବିବେଚନା କରାଯାଉଛି ।
ତଥ୍ୟ ଅନୁସାରେ, ଭାରତର ପ୍ରାୟ ୧୦ ପ୍ରତିଶତ ଭୂମି ଗତ ଏକ ଦଶନ୍ଧି ହେବ ଅତିକମରେ ଥରେ ବନ୍ୟାରେ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଗୁଡ଼ିକ ହେଲା ପଞ୍ଜାବ (୬୮%), ବିହାର (୫୧%), ହରିୟାଣା (୩୮%) ଉତ୍ତର ପ୍ରଦେଶ (୨୫%), ଆସାମ (୩୦%) ଏବଂ ପଶ୍ଚିମବଙ୍ଗ (୩୭%) ।
ତେବେ ପଞ୍ଜାବରେ ହେଉଥିବା ବନ୍ୟାକୁ ନେଇ ଆସିଥିବା ତଥ୍ୟ ଅଧିକ ଆଶ୍ଚର୍ୟ୍ୟ କରିଛି । ପଞ୍ଜାବ ୬୮% ଭୂମି ଅର୍ଥାତ ୩୪,୦୦୦ ବର୍ଗ କିଲୋମିଟର ଜମି ବନ୍ୟାରେ ପ୍ରଭାବିତ ହୋଇଛି । କିନ୍ତୁ ଏହି ବନ୍ୟା କୃତ୍ରିମ ଉପାୟରେ କରାଯାଇଛି । ବନ୍ୟା କରାଇ ଧାନ କ୍ଷେତ ଗୁଡ଼ିକୁ ପାଣି ଦିଆଯାଏ । ଯେଉଁଥିପାଇଁ ଏହି ସଂଖ୍ୟା ବଢ଼ିଚି ।
ବିହାରରେ ଆସିଥିବା ୪୮,୦୦୦ ବର୍ଗ କିଲୋମିଟର ଅଞ୍ଚଳ ବନ୍ୟାରେ ପୀଡ଼ିତ ହେଉଛି । କୋସୀ ଏବଂ ଗଣ୍ଡକ ନଦୀରେ ଆସୁଥିବା ବନ୍ୟା ବିନାଶକାରୀ ବୋଲି କୁହାଯାଉଛି । ଯାହା ଦ୍ୱାରା ହଜାର ହଜାର ସଂଖ୍ୟାରେ ଲୋକ ବିସ୍ଥାପିତ ହୁଅନ୍ତି । ବିହାରର ଭୌଗୋଳିକ ସ୍ଥିତି ପ୍ରତିବର୍ଷ ବନ୍ୟା ପାଇଁ ଅତିସମ୍ବେଦନଶୀଳ ଅଟେ । ତେଣୁ ଏଠାକାର ସରକାର ଏବଂ ପ୍ରଶାସନ ବନ୍ୟାକୁ ନେଇ ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି ।
ଏହା କେବଳ ଭାରତରେ ସୀମିତ ନାହିଁ । ସାରା ବିଶ୍ୱରେ ଏହି ଡାଟା ପ୍ରସ୍ତୁତ କରାଯାଉଛି । ଆଫ୍ରିକାରେ ମଧ୍ୟରେ ବନ୍ୟା ପ୍ରଭାବିତ ରିପୋର୍ଟ ଦ୍ୱିଗୁଣିତ ହୋଇଛି । ଖାଲି ସେତିକି ନୁହେଁ ନାଇଜେରିଆ, ଇଥିୟୋପିଆ ଏବଂ ପୂର୍ବ ଅଷ୍ଟ୍ରେଲିଆ ମଧ୍ୟ ବନ୍ୟାର ବିଭୀଷିକାକୁ ଅନୁଭବ କରୁଛି ।