ଆପଣ କଳ୍ପନା କରିପାରିବେ କି, ପ୍ରାୟ ୮୦୦ ବର୍ଷ ପୂର୍ବେ ଜଣେ କବି ଯାହା ଲେଖିଥିଲେ, ତାହା ଆଜି ମହାକାଶ ମିଶନରେ ଯାଉଥିବା ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛି? କୌଣସି ସାଇନ୍ସ-ଫିକ୍ସନ୍ ଫିଲ୍ମ ଭଳି ଲାଗୁଥିବା ଏହି କଥା ପ୍ରକୃତରେ ସତ। ଜାପାନର ଜଣେ କବି ଦ୍ୱାଦଶ ଶତାବ୍ଦୀରେ ଏପରି କିଛି ଲେଖିଥିଲେ, ଯାହା ବୈଜ୍ଞାନିକମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି। ଏହା ସହିତ ପ୍ରାଚୀନ ବୃକ୍ଷଗୁଡ଼ିକ ମଧ୍ୟ ସୂର୍ଯ୍ୟଙ୍କୁ ନେଇ ଏକ ବଡ଼ ରହସ୍ୟର ଖୁଲାସା କରିଛନ୍ତି।
୮୨୬ ବର୍ଷ ପୂର୍ବର ସେହି କବିତା
୮୨୬ ବର୍ଷ ପୂର୍ବେ ଜାପାନୀ କବିମାନେ ଏକ ବିଶାଳ ସୌର ଝଡ଼ ବିଷୟରେ ଲେଖିଥିଲେ। ରାତିର ଆକାଶରେ ରହସ୍ୟମୟ ନାଲି ଆଲୋକ ଦେଖି କବି ନିଜ ଡାଏରୀରେ ଯାହା ଲେଖିଥିଲେ, ଆଜି ସେହି ଧାଡ଼ିଗୁଡ଼ିକ ନାସାର ‘ଆର୍ଟେମିସ୍’ ଭଳି ମହାକାଶ ମିଶନରେ ଯାଉଥିବା ଭବିଷ୍ୟତର ମହାକାଶଚାରୀଙ୍କୁ ବିପଜ୍ଜନକ ବିକିରଣରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଅର୍ଥାତ୍ କବିତା ହିଁ ବୈଜ୍ଞାନିକମାନଙ୍କ ପାଇଁ ସୁରାକ୍ ପାଲଟିଛି।
ଜାପାନର ‘ଓକିନାୱା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ର ଗବେଷକମାନେ ସୂର୍ଯ୍ୟରେ ଶକ୍ତିର ଏକ ଶକ୍ତିଶାଳୀ ବିସ୍ଫୋରଣର ପ୍ରମାଣ ଖୋଜି ପାଇଛନ୍ତି, ଯାହା ୧୨୦୦ ଖ୍ରୀଷ୍ଟାବ୍ଦ ପାଖାପାଖି ହୋଇଥିଲା। ଏଥିପାଇଁ ସେମାନେ ଦୁଇଟି ଭିନ୍ନ ସୂତ୍ରର ସାହାଯ୍ୟ ନେଇଥିଲେ - ଜଣେ ମଧ୍ୟଯୁଗୀୟ ଜାପାନୀ କବିଙ୍କ ଡାଏରୀ ଏବଂ ପ୍ରାଚୀନ କାଳରୁ ଦବି ରହିଥିବା ଗଛର ବଳୟ ।
କବିଙ୍କ ଡାଏରୀରୁ ମିଳିଲା ସୁରାକ୍
ପ୍ରଥମ ସୁରାକ୍ ପ୍ରଭାବଶାଳୀ ଜାପାନୀ କବି ଫୁଜିୱାରା ନୋ ତେଇକାଙ୍କ ଡାଏରୀ ‘ମିଗେତସୁକି’ରୁ ମିଳିଥିଲା। ସେ ଫେବୃଆରୀ ୧୨୦୪ ଖ୍ରୀଷ୍ଟାବ୍ଦରେ କ୍ୟୋଟୋର ଉତ୍ତର ଆକାଶରେ ‘ନାଲି ଆଲୋକ’ ଦେଖିଥିବା କଥା ଉଲ୍ଲେଖ କରିଥିଲେ। ଗବେଷକମାନେ ବିଶ୍ୱାସ କରନ୍ତି ଯେ, ସେହି ଆଲୋକ ଏକ ଦୁର୍ଲଭ ପ୍ରକାରର ଅରୋରା ଥିଲା, ଯାହା କେବଳ ସେତେବେଳେ ଦେଖାଯାଏ ଯେତେବେଳେ ସୂର୍ଯ୍ୟ ଅତ୍ୟନ୍ତ ଅଶାନ୍ତ ଏବଂ ଝଡ଼ ପୂର୍ଣ୍ଣ ଅବସ୍ଥାରେ ଥାଏ। ଏହି ଡାଏରୀ ସାହାଯ୍ୟରେ ବୈଜ୍ଞାନିକମାନେ ସେହି ସଠିକ୍ ସମୟ ବିଷୟରେ ଜାଣିପାରିଲେ।
ଗଛରୁ ମିଳିଲା ‘ଫିଙ୍ଗରପ୍ରିଣ୍ଟ’
ଏହାପରେ ସେମାନେ ଉତ୍ତର ଜାପାନରେ ଦବି ରହିଥିବା ପ୍ରାଚୀନ ଗଛଗୁଡ଼ିକୁ ନେଇ ଅଧ୍ୟୟନ କରିଥିଲେ। ଯେତେବେଳେ ସୂର୍ଯ୍ୟରେ ବିସ୍ଫୋରଣ ହୁଏ, ସେତେବେଳେ ପୃଥିବୀକୁ ଅତି ଶକ୍ତିଶାଳୀ କଣିକା ଆସିଥାଏ। ଗଛଗୁଡ଼ିକ ଏହି କଣିକାକୁ ଅବଶୋଷଣ କରିନିଅନ୍ତି ଏବଂ କାଠରେ ଏକ ରାସାୟନିକ ‘ଫିଙ୍ଗରପ୍ରିଣ୍ଟ’ ଛାଡ଼ି ଯାଆନ୍ତି। ଗଛରେ ଥିବା କାର୍ବନ-୧୪ର ମାତ୍ରା ମାପି ଗବେଷକମାନେ ଗତ ୧୦ ହଜାର ବର୍ଷର ସୌର ଗତିବିଧି ବିଷୟରେ ଜାଣିପାରିବେ।
କ’ଣ ଥିଲା ରହସ୍ୟ?
ଅଧ୍ୟୟନରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୂର୍ଯ୍ୟର ଗତିବିଧି ଚକ୍ର ୧୧ ବର୍ଷର ହୋଇଥିବାବେଳେ, ସେହି ସମୟରେ ଏହା ମାତ୍ର ୭ ରୁ ୮ ବର୍ଷ ଥିଲା। ଏହାର ଅର୍ଥ ସେତେବେଳେ ସୂର୍ଯ୍ୟ ଅଧିକ ସକ୍ରିୟ ଥିଲା। ୧୯୭୨ ମସିହାରେ ଆପୋଲୋ ୧୬ ଏବଂ ୧୭ ମିଶନ କାଳରେ ମଧ୍ୟ ଏହିଭଳି ସୌର ବିସ୍ଫୋରଣ ହୋଇଥିଲା। ଯଦି ସେହି ସମୟରେ ମହାକାଶଚାରୀମାନେ ସେଠାରେ ଥାଆନ୍ତେ, ତେବେ ସେମାନେ ମାରାତ୍ମକ ବିକିରଣର ଶିକାର ହୋଇଥାଆନ୍ତେ।
ଏହି ଆବିଷ୍କାର ନାସାର ‘ଆର୍ଟେମିସ୍’ ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାହାଯ୍ୟରେ ସୌର ଝଡ଼ର ପୂର୍ବାନୁମାନ କରି ମହାକାଶଚାରୀଙ୍କ ପାଇଁ ଉନ୍ନତ ସୁରକ୍ଷା କବଚ ପ୍ରସ୍ତୁତ କରାଯାଇପାରିବ।