ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟସଭାରେ ଗୃହ ବିଭାଗର କାର୍ଯ୍ୟକାରିତା ଉପରେ ଶୁକ୍ରବାର ଆଲୋଚନା ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ରଖିଛନ୍ତି । ୨୦୧୪ରେ ଯେତେବେଳେ ମୋଦୀ ସରକାର ନିର୍ବାଚିତ ହୋଇ ଆସିଥିଲେ, ସେତେବେଳେ ତାଙ୍କ ସମ୍ମୁଖରେ ଦେଶର ସୁରକ୍ଷା, ବିକାଶ ସାର୍ବଭୌମତାକୁ ନେଇ ୩ ପ୍ରମୁଖ ସମସ୍ୟା ଥିଲା । ପ୍ରଥମତଃ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦ ସମସ୍ୟା, ବାମପନ୍ଥୀ-ଉଗ୍ରବାଦ ଯେଉଁମାନେ ତିରୁପତିରୁ ପଶୁପତିନାଥଙ୍କ ସ୍ୱପ୍ନ ଦେଖିଥିଲେ ଏବଂ ତୃତୀୟା ସମସ୍ୟା ଥିଲା ଉତ୍ତର-ପୂର୍ବ ଭାରତରେ ହିଂସା । ଏହି ତିନୋଟି ସମସ୍ୟା ଯୋଗୁଁ, ଚାରି ଦଶନ୍ଧି ମଧ୍ୟରେ ଦେଶର ୯୨ ହଜାର ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ତିନୋଟି ସମସ୍ୟାକୁ ଦୂର କରିବା ପାଇଁ କେବେ ଯୋଜନାବଦ୍ଧ ପ୍ରୟାସ କରାଯାଇ ନଥିଲା। ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ଏହା କରିଛନ୍ତି ।
ଶାହ ପ୍ରଥମେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ପୂର୍ବ ୟୁପିଏ ସରକାର ଉପରେ ବର୍ଷିଥିଲେ । ସେ କହିଛନ୍ତି, କଶ୍ମୀରରେ ପ୍ରତି ଦିନ ଆତଙ୍କବାଦୀ ପ୍ରବେଶ କରୁଥିଲେ, ବୋମା ବିସ୍ଫୋରଣ ସହିତ ହତ୍ୟା କରୁଥିଲେ । ଗତ ସରକାର ଭୋଟ ଡରରେ ବୋଧେ ଚୁପ ରହୁଥିଲେ, ତାଙ୍କୁ କହିବାକୁ ଡର ଲାଗୁଥିଲା । କିନ୍ତୁ ମୋଦୀ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି । ଅମିତ ଶାହ ଉରୀ ଏବଂ ପୁଲୱାମା ଆକ୍ରମଣକୁ ମନେ ପକାଇ କହିଥିଲେ ଯେ ୧୦ ଦିନ ମଧ୍ୟରେ ପାକିସ୍ତାନର ଘରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରି ମୁହଁ ତୋଡ଼ ଜବାବ ଦେଇଛୁ । ପୁରା ବିଶ୍ୱରେ କେବଳ ଇସ୍ରାଏଲ୍ ଏବଂ ଆମେରିକା ନିଜ ସୀମାକୁ ନେଇ ତତ୍ପର ରହୁଥିବାବେଳେ ଏଥିରେ ଭାରତର ନାଁକୁ ନରେନ୍ଦ୍ର ମୋଦୀ ଯୋଡ଼ି ଥିଲେ ।
ସେହିପରି ଶାହ ଆହୁରି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତୀୟ ଯୁବକଙ୍କର ଆତଙ୍କବାଦୀ ସହିତ ସମ୍ପର୍କ ପ୍ରାୟତଃ ଛିନ୍ନ ହୋଇଯାଇଛି । ୧୦ ବର୍ଷ ପୂର୍ବରୁ ଆତଙ୍କବାଦୀଙ୍କ ମହିମା ମଣ୍ଡନ କରିବା ଏକ ସାଧାରଣ କଥା ଥିଲା । କିନ୍ତୁ ଏବେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଛି, ସେଇଠି ସମାଧି ଦେଇ ଦିଆଯାଉଛି । ଲୋକଙ୍କ ଏକ କଡ଼ା ସନ୍ଦେଶ ଦେବାକୁ ସରକାରୀ ସୁବିଧା ନେଉଥିବା ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ପଦ ପଦବୀରୁ ହଟାଇ ଦିଆଯାଇଛି ।
ଶାହ ଜାମ୍ମୁ-କଶ୍ମୀର ଏବଂ ଭାରତରେ ଦୁଇଟି ନିୟମାବଳୀକୁ ନେଇ ମଧ୍ୟ ବର୍ଷିଛନ୍ତି । ଗୋଟିଏ ଦେଶରେ ୨ଟି ଚିହ୍ନ, ୨ଟି ମୁଖ୍ୟ ଏବଂ ୨ଟି ନିୟମ ହୋଇପାରିବ ନାହିଁ । ଦେଶରେ ଗୋଟିଏ ପ୍ରଧାନମନ୍ତ୍ରୀ ରହିପାରିବେ, ଗୋଟିଏ ନିୟମ ରହିପାରିବ ଏବଂ ଗୋଟିଏ ପତାକା ରହି ପାରିବ । ସେ ସିଧାସଳଖ କଂଗ୍ରେସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଥିଲେ ଆପଣଙ୍କ (ୟୁପିଏ) ସରକାର ସମୟରେ ୩୩ ବର୍ଷ ମଧ୍ୟରେ ଗୋଟିଏ ବି ସିନେମା ଘର ନ ଥିଲା, ଯାହା ଆମ ସମୟରେ ଖୋଲିଛି । ତାଜିଆ ଶୋଭାଯାତ୍ରାକୁ ଅନୁମତି ଦିଆ ଯାଉନଥିଲା, ଆମ ସମୟରେ ଦିଆଯାଇଥିଲା। G-20 ସମୟରେ, ସାରା ବିଶ୍ୱର କୂଟନୀତିଜ୍ଞମାନେ ଶାନ୍ତିପୂର୍ଣ୍ଣ ଭାବରେ ଜମ୍ମୁ ଏବଂ କାଶ୍ମୀର ପରିଦର୍ଶନ କରିଥିଲେ ଏବଂ ଏହାର ଖାଦ୍ୟ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। କାଶ୍ମୀରର ରାଜକୋଷ ବହୁ ବର୍ଷ ଧରି ଖାଲି ଥିଲା। ୨୦୧୫ ମସିହାରେ ନରେନ୍ଦ୍ର ମୋଦି ୮୦ ହଜାର କୋଟି ଟଙ୍କାର ୬୩ଟି ପ୍ରକଳ୍ପ ଆରମ୍ଭ କରିଥିଲେ।