ନୂଆ ଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁଙ୍କ ନିକଟରେ ରହିଛି ୯୩୧ କୋଟି ଟଙ୍କାର ସମ୍ପତି । ଚନ୍ଦ୍ରବାବୁଙ୍କ ପଛରେ ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ତାଙ୍କର ମୋଟ ସମ୍ପତି ୩୩୨କୋଟି ଟଙ୍କା । ସେହିପରି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।
ସେହିପରି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ମମତାଙ୍କ ପାଖେ ମୋଟ୍ ୧୫ ଲକ୍ଷ ଟଙ୍କାର ସମ୍ପତି ରହିଛି । ଦ୍ୱିତୀୟ ଗରିବ ମୁଖ୍ୟମନ୍ତ୍ରୀ ଭାବେ ଜାମ୍ମୁ- କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରହିଛନ୍ତି, ତାଙ୍କ ପାଖରେ ରହିଛି ୫୫ ଲକ୍ଷ ଟଙ୍କାର ସମ୍ପତି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗରିବ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟରେ ରହିଛନ୍ତି । ତାଙ୍କ ମୋଟ୍ ସମ୍ପତି ହେଉଛି ୧.୧୮ କୋଟି ଟଙ୍କା ।
ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଭାରତର ୩୧ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତ୍ତି ୧,୬୩୦ କୋଟି ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଆଗରେ ଚନ୍ଦ୍ରବାବୁ ନାଇଡ଼ୁ ରହିଥିବା ବେଳେ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି ମମତା ।
ସେହିପରି ଦେଶର ୧୩ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରହିଛି ଆପରାଧିକ ମାମଲା । ସେଥିମଧ୍ୟରୁ ୧୦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଆପରାଧିକ ଧମକ ଏବଂ ଲାଂଚ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ଏଡିଆର୍ ରିପୋର୍ଟ ପ୍ରକାଶ ପାଇଛି ।