ନୂଆଦିଲ୍ଲୀ : ଦେଶର ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ଦିଲ୍ଲୀ ହାଇକୋର୍ଟର ଜଜ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବଦଳିର ବିରୋଧ କରୁଥିବା ଆଇନଜୀବୀଙ୍କୁ ଆଶ୍ୱାସନା ଦେଇଛନ୍ତି । କଲେଜିୟମ ଆଇନଜୀବୀଙ୍କ ଦାବିକୁ ଦୃଷ୍ଟିରେ ରଖି ନିଜର ସୁପାରିସ ପ୍ରତ୍ୟାହାର କରିବା ଉପରେ ବିଚାର କରିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନର ସଭାପତି ଅନିଲ ତିୱାରୀ କହିଛନ୍ତି, ସିଜେଆଇ ସଞ୍ଜୀବ ଖନ୍ନା ବାର ସଦସ୍ୟଙ୍କୁ ଦାବି ଉପରେ ବିଚାର କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ବିଭିନ୍ନ ହାଇକୋର୍ଟର ଛଅ ବାର ଆସୋସିଏସନର ପ୍ରତିନିଧି ଗୁରୁବାର ଅପରାହ୍ଣରେ ସିଜେଆଇ ଖନ୍ନା, କଲେଜିୟମର ଅନ୍ୟ ସଦସ୍ୟ ଜଷ୍ଟିସ ବି ଆର ଗବଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ ବିକ୍ରମ ନାଥଙ୍କୁ ସାକ୍ଷାତ କରିଛନ୍ତି ।
ସୁପ୍ରିମକୋର୍ଟରେ ଅନୁଷ୍ଠିତ ଏହି ବୈଠକ ପରେ ତିୱାରୀ କହିଛନ୍ତି, କଲେଜିୟମ ବାର ଆସୋସିଏସନର ଦାବି ଉପରେ ବିଚାର ବିମର୍ଶ କରିଛନ୍ତି ଏବଂ ଆଶ୍ୱାସନ ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ଗତକାଲି ଆହ୍ଲାବାଦ, ଗୁଜରାଟ, କେରଳ, ଜବରଲପୁର, କର୍ଣ୍ଣାଟକ ଓ ଲଖନଉ ହାଇକୋର୍ଟର ବାର ପ୍ରତିନିଧିମାନେ ସିଜେଆଇ କାର୍ଯ୍ୟାଳୟକୁ ଦାବି ଦେଇ ସିଜେଆଇଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ବିଚାରପତି ବର୍ମାଙ୍କ ସରକାରୀ ବାସଭବନରେ ସାକ୍ଷ୍ୟ ପ୍ରମାଣ ନଷ୍ଟ ପାଇଁ ହୋଇଥିବା ଉଦ୍ୟମ ପ୍ରସଙ୍ଗ ଉଠାଇଥିଲେ । ଏପରିକି ବିଚାରପତିଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ ହୋଇ ନାହିଁ ସେହି ପ୍ରସଙ୍ଗ ବି ଉଠାଇଛନ୍ତି ବିଚାରପତି ।