ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରି ଆସିଛନ୍ତି । ସେ ଅନେକ ଥର କହିଛନ୍ତି ଯେ, ଏଥିପାଇଁ ଭାରତ ପ୍ରତିଟି ପଦକ୍ଷେପ ନେବାକୁ ପ୍ରସ୍ତୁତ । ଏହା ମଧ୍ୟରେ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ରୁଷ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ପାଇଁ ମସ୍କୋ ଗସ୍ତ କରିବେ ।
ଋୁଷ ଓ ୟୁକ୍ରେନ ମଧ୍ୟ ଅନେକ ଥର କହି ସାରିଛନ୍ତି ଯେ, ଭାରତ ଏହି ଯୁଦ୍ଧକୁ କୂଟନୈତିକ ସ୍ତରରେ ସମାପ୍ତ କରି ପାରିବ । ନିକଟରେ ଜେଲେନ୍ସି ଏହି କଥାକୁ ଦୋହରାଇ ଥିଲେ । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତଠୁ ଦୁନିଆର ଅନେକ ଦେଶ ଆଶା ରଖିଥିବା ସମୟରେ ହିଁ ଅଜିତ ଡୋଭାଲ ମସ୍କୋ ଗସ୍ତ କରୁଥିବା ଖବର ଆସିଛି । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଶନିବାର କହିଛନ୍ତି, ଭାରତ-ଚୀନ ପରି ଦେଶ ୟୁକ୍ରେନରେ ସଂଘର୍ଷର ସମାଧାନ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରି ପାରିବେ । ଉଲ୍ଲେଖନୀୟ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଲ ବନ୍ଧୁତା ରହିଛି ।
ଗତ ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ପରି ବନ୍ଧୁ ଓ ଭାଗିଦାରୀର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ ବର୍ତ୍ତମାନ ସଂଘର୍ଷର ମଧ୍ୟସ୍ଥି କରି ପାରିବ । ପୁଟିନଙ୍କ ଏହି ବୟାନ ପରେ ଏବେ ପୁରା ଦୁନିଆର ନଜର ଭାରତର ପଦକ୍ଷେପ ଉପରେ ରହିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତରେ ଦ୍ୱିତୀୟ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ନିକଟରେ ୟୁକ୍ରେନ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୯୧ରେ ୟୁକ୍ରେନ ସ୍ୱାଧୀନତା ପାଇବା ପରେ ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଦେଶ ଗସ୍ତ କରିଥିଲେ ।