ଗୌହାଟି: ମେଘାଳୟରେ ହନିମୁନ୍ କରିବାକୁ ଯାଇଥିବା ମଧ୍ୟପ୍ରଦେଶର ଇନ୍ଦୋର ନିବାସୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ସହିତ ପ୍ରାୟ ସମସ୍ତେ ଅବଗତ ଥିବେ। କିନ୍ତୁ ପଡ଼ୋଶୀ ରାଜ୍ୟ ‘ଆସାମ’ରୁ ସମାନ ପ୍ରକାରର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଘର ଭିତରେ ହତ୍ୟା କରି ଘରେ ଏକ ଗାତ ଖୋଳି ତାଙ୍କ ମୃତଦେହକୁ ପୋତି ଦେଇଛି। ଆସାମର ରାଜଧାନୀ ଗୁଆହାଟୀର ଜୟମୋତି ନଗରର ପାଣ୍ଡୁ ଅଞ୍ଚଳ। ପୋଲିସ ତାଙ୍କ ସ୍ୱାମୀ ସବିଲ ରହମାନଙ୍କୁ ହତ୍ୟା କରିବା ଅଭିଯୋଗରେ ରହିମା ଖାତୁନ(୩୮)ଙ୍କୁ ଗିରଫ କରିଛି।
ଆସାମ ପୋଲିସ ଅନୁଯାୟୀ, ରହିମା ତାଙ୍କ ସ୍ୱାମୀ ସବିଲଙ୍କୁ ଗତ ଜୁନ୍ ୨୬ ରାତିରେ ହତ୍ୟା କରି ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଆଖପାଖର ଲୋକମାନେ ପଚାରିବାରୁ ରହିମା କହିଥିଲେ ଯେ ସବିଲ କୌଣସି କାମରେ କେରଳ ଯାଇଛନ୍ତି। ଜୁଲାଇ ୧୨ରେ ସବିଲଙ୍କ ଭାଇ ପୋଲିସରେ ନିଖୋଜ ବ୍ୟକ୍ତି ରିପୋର୍ଟ ଦାଖଲ କରିଥିଲେ ଏବଂ ଜୁଲାଇ ୧୩ରେ ରହିମା ନିଜେ ପୋଲିସ ଷ୍ଟେସନକୁ ଯାଇ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି।
ଗୌହାଟି ସିଟି (ପଶ୍ଚିମ) ଡିସିପି ପଦ୍ମନାବ ବରୁଆଙ୍କ ଅନୁଯାୟୀ, ରହିମା ଖାତୁନ ନାମକ ଜଣେ ମହିଳା ଜୁଲାଇ ୧୩ ତାରିଖରେ ଜାଲକୁବ୍ରି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେ ପୋଲିସକୁ କହିଥିଲେ ଯେ ତାଙ୍କ ନିଖୋଜ ସ୍ୱାମୀ ସବିଲ ରେହମାନ ମୃତ୍ୟୁ ହୋଇଛି। ସେ ନିଜେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଜୁନ୍ ୨୬ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସବିଲ ମଦ୍ୟପାନ ଅବସ୍ଥାରେ ଥିଲେ। ଏହି ସମୟରେ ସେ ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏପରି ପରିସ୍ଥିତିରେ ରହିମା ଘରେ ହିଁ ସବିଲର ମୃତଦେହକୁ ପୋତି ଦେଇଥିଲେ।
ପୋଲିସ ସନ୍ଦେହ କରୁଛି ଯେ ଏହି ମାମଲାରେ ଅନ୍ୟ କିଛି ଲୋକ ମଧ୍ୟ ସାମିଲ ଥାଇ ପାରନ୍ତି। ପୋଲିସର କହିବା ଅନୁଯାୟୀ, ଆମେ ସନ୍ଦେହ କରୁଛୁ ଯେ ୨-୩ ଜଣ ଲୋକ ରହିମାଙ୍କୁ ସାହାଯ୍ୟ କରିଥାଇପାରନ୍ତି। କାରଣ ଜଣେ ମହିଳା ଏତେ ବଡ଼ ଗାତ ଖୋଳି ରାତିସାରା ମୃତଦେହ ପୋତି ଦେବା ସମ୍ଭବ ନୁହେଁ। ଏବେ ପୋଲିସ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ୟୁକ୍ରେନକୁ 'ବ୍ରହ୍ମାସ୍ତ୍ର' ଦେବ ଆମେରିକା