ନୂଆଦିଲ୍ଲୀ: ଦେଶକୁ ଶୀଘ୍ର ନୂତନ ଉପରାଷ୍ଟ୍ରପତି ମିଳିବାକୁ ଯାଉଛି । ଏହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ ଉଭୟ ନିଜ ନିଜର ପ୍ରାର୍ଥୀଙ୍କୁ ଛିଡା କରାଇବା ପାଇଁ ଅନ୍ତିମ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି । ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ରାଜ୍ୟସଭାର ମହାସଚିବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରୁ ଫେରିବା ମାତ୍ରେ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯିବ । ଏଥିରେ ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ଉପରେ ମୋହର ଲାଗିପାରେ । ସୂତ୍ର ଅନୁଯାୟୀ, ବିଜେପି ନିଜ ସଂଗଠନ ସହ ଜଡିତ କୌଣସି ଜଣେ ଅନୁଭବୀ ଓ ବିଚାରଗତ ରୂପେ ପ୍ରତିବଦ୍ଧ ଚେହେରାଙ୍କୁ ପ୍ରାର୍ଥୀ କରିପାରେ । ଏଥିପାଇଁ ଏନଡିଏର ସହଯୋଗୀ ଦଳଙ୍କଠୁ ବି ମତାମତ ନିଆଯିବ ।
ଓବିସି ସମୁଦାୟରୁ ଆସୁଥିବା କୌଣସି ନେତାଙ୍କ ଉପରେ ଅଧିକ ଚର୍ଚ୍ଚା ଚାଲିଛି । ପୁଣି ଜେଡିୟୁର ବରିଷ୍ଠ ନେତା ତଥା ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ବଳିଷ୍ଠ ଦାବିଦାର କୁହାଯାଉଛି । ସରକାରଙ୍କ ସହିତ ତାଙ୍କ ଭଲ ସଂପର୍କ ସହ ଉତ୍ତମ ସମନ୍ୱୟ ରହିଛି । ହେଲେ ବିଜେପି ସର୍ବଦା ଏହି ପଦରେ ଚକିତ କରି ଦେବା ପରି ପ୍ରାର୍ଥୀ ଦେଇ ଆସିଛି ।
କଣ ରହିଛି ସଂଖ୍ୟା ଗଣିତ
ଲୋକସଭାରେ ଏନଡିଏ ପାଖରେ ୨୯୩ ସାଂସଦଙ୍କ ସମର୍ଥନ ଥିବା ବେଳେ ଇଣ୍ଡିଆ ମେଣ୍ଟ ପାଖରେ ରହିଛି ୨୩୪ । ରାଜ୍ୟସଭାରେ ଏନଡିଏ ପାଖରେ ୧୩୦ ସାଂସଦ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ପାଖରେ ରହିଛି କେବଳ ୭୯ ସାଂସଦ । ଉଭୟ ଗୃହର ମୋଟ୍ ସାଂସଦଙ୍କ ସଂଖ୍ୟା ୭୮୨ । ଉପରାଷ୍ଟ୍ରପତି ପଦ ପାଇଁ ଅତି କମରେ ୩୯୨ ଭୋଟର ଆବଶ୍ୟକତା ରହିଛି । ଆଉ ଏନଡିଏ ପାଖରେ ୪୨୩ ସାଂସଦ ରହିଛନ୍ତି । ଏମିତିରେ ଏନଡିଏର ପ୍ରାର୍ଥୀ ଉପରାଷ୍ଟ୍ରପତି ହେବା ପ୍ରାୟତଃ ସ୍ପଷ୍ଟ ଲାଗୁଛି ।
ଏନଡିଏ ପାଖରେ ସ୍ପଷ୍ଟ ବହୁମତ ଥିଲେ ମଧ୍ୟ ଇଣ୍ଡିଆ ମେଣ୍ଟ ସ୍ପଷ୍ଟ କରି ଦେଇଛି ଯେ, ତାଙ୍କ ପକ୍ଷରୁ ପ୍ରାର୍ଥୀ ଦିଆଯିବ । ଏମିତି କରି ଇଣ୍ଡିଆ ମେଣ୍ଟ ରାଜନୈତିକ ସନ୍ଦେଶ ଦେବାକୁ ଚାହୁଁଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗତ ବୁଧବାର କହିଥିଲେ ଯେ, ଇଣ୍ଡିଆ ମେଣ୍ଟର ବୈଠକ ଶୀଘ୍ର ହେବାକୁ ଯାଉଛି । ବୈଠକରେ ପ୍ରାର୍ଥୀ ଭାବେ କାହାକୁ ଚୟନ କରାଯିବା ସାମୂହିକ ଭାବେ ନିର୍ଣ୍ଣୟ ନିଆଯିବ । ବିରୋଧୀଙ୍କ କହିବା କଥା ସଂଖ୍ୟା ଗଣିତ ସଂପୂର୍ଣ୍ଣ ଭାବେ ସେମାନଙ୍କ ବିପକ୍ଷରେ ନାହିଁ । ତେଣୁ ମେଣ୍ଟକୁ ପଛକୁ ହଟିବା ଉଚିତ୍ ନୁହେଁ ।