ରାଜୌରୀ: ଜମ୍ମୁ-କଶ୍ମୀରର ନୌଶେରାରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି ସତର୍କ ସେନା ଯବାନ। ଯବାନମାନେ ଦୁଇ ଜଣ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭, ଗୋଟିଏ ପିସ୍ତଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ସମ୍ଭାବ୍ୟ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ଗୁଇନ୍ଦା ଏଜେନ୍ସି ଓ ପୁଲିସଠାରୁ ମିଳିଥିବା ସୂଚନା ଆଧାରରେ ସେପ୍ଟେମ୍ବର ୮ ଓ ୯ ତାରିଖ ମଧ୍ୟରାତ୍ରିରେ ଲାମ୍ ସେକ୍ଟରରେ ଅନୁପ୍ରବେଶ ବିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି ଏକେ-୪୭ ଓ ଗୋଟିଏ ପିସ୍ତଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଏନକାଉଣ୍ଟର ପରେ ଯବାନମାନେ ଉକ୍ତ ଅଞ୍ଚଳକୁ ଆଲୋକିତ କରିବା ସହ ରାତିସାରା କଡ଼ା ନଜର ରଖିଥିଲେ ବୋଲି ସେନା ଅଧିକାରୀମାନେ କହିଛନ୍ତି। ସକାଳୁ ଆସିବା ମାତ୍ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ଆରମ୍ଭ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି।
ଅଧିକ ପଢ଼ନ୍ତୁ: କାନପୁରରେ ପୁଣି ଟ୍ରେନ୍ ଓଲଟିବା ପାଇଁ ଷଡ଼ଯନ୍ତ୍ର