ଶ୍ରୀନଗର: ଶ୍ରୀନଗର ଖାନୟାର ଅଞ୍ଚଳରେ ଶନିବାର ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଅନେକ ବର୍ଷରୁ ଉପତ୍ୟକାରେ ସକ୍ରିୟ ଲସ୍କର-ଏ-ତୋଏବାର ଜଣେ ଶୀର୍ଷ ପାକିସ୍ତାନୀ କମାଣ୍ଡର ନିହତ ହୋଇଛି । ଏହି ସଂଘର୍ଷରେ ଚାରି ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ଖାନୟାର ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲେ । ଏହି ସମୟରେ ଛପି ରହିଥିବା ଆତଙ୍କବାଦୀ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ପରେ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏକାଉଣ୍ଟର ବେଳେ ଆତଙ୍କବାଦୀ ଲୁଚି ରହିଥିବା ଘରେ ନିଆଁ ଲାଗି ଯାଇଥିଲା ଏବଂ ଅଞ୍ଚଳ ଧୂଆଁ ଧୂଆଁ ହୋଇଥିଲା । ଏବେ ବି ଏନକାଉଣ୍ଟର ଜାରି ରହିଥିବା ସଦ୍ୟତମ ଖବରରୁ ପ୍ରକାଶ ।
ଏହି ଗୁଳି ବିନିମୟରେ କେନ୍ଦ୍ରୀୟ ପୋଲିସ ଫୋର୍ସ (ସିଆରପିଏଫ୍)ର ଦୁଇ ଯବାନ ଏବଂ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ସେନାର ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଆତଙ୍କବାଦୀ ପାକିସ୍ତାନର ଏବଂ ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା । ଆତଙ୍କବାଦୀର ନାଁ ଉସମାନ ଏବଂ ସେ ସବୁଠୁ ବରିଷ୍ଠ କମାଣ୍ଡର ଥିଲା ।
ଅଧିକାରୀଙ୍କ ଅନୁଯାୟୀ ଉସମାନ ଉପତ୍ୟକାରେ ସକ୍ରିୟ ଥିଲା ଏବଂ ଅନେକ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଥିଲା । ଉସମାନର ମୃତ୍ୟୁ ଲସ୍କର ପାଇଁ ଏକ ବଡ଼ ଝଟକା ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦୀପାବଳି ଅବସରରେ ଆତଙ୍କବାଦୀ ଘାଟିରେ ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲେ । ମାତ୍ର ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷାବଳ ସତର୍କତା କାରଣରୁ ଷଡଯନ୍ତ୍ର ପଣ୍ଡ ହୋଇଥିଲା । କାଶ୍ମୀର ଘାଟିରେ ସେନାର ସକ୍ରିୟତା କାରଣରୁ ଲଗାତାର ଆତଙ୍କବାଦୀଙ୍କ ମୂଳପୋଛ ଅଭିଯାନ ଜାରି ରହିଛି । ଅକ୍ଟୋବର ୨୮ରେ ମଧ୍ୟ ଅଖନୁର ଅଞ୍ଚଳରେ ଆତଙ୍କବାଦୀ ସେନାର ଏକ ଗାଡି ଉପରେ ଗୁଳିମାଡ କରିଥିଲେ । ଏହା ପରେ ସେଠାରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଦୁଇ ଜଣ ସୈନିକ ସହିଦ ହୋଇଥିବାବେଳେ ଦୁଇ ସ୍ଥାନୀୟ ପୋର୍ଟରଙ୍କ ମୃତ୍ୟୁ ଘଟିଥିଲା ।