ମହାକାଶରେ ଗ୍ରହ ମାନଙ୍କ ମଧ୍ଯରେ ହେବ ପରେଡ୍ । ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଜାନୁଆରୀ ୧୮ରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ ।ଶୁକ୍ରଗ୍ରହକୁ ଟପି ଆଗକୁ ବଢିବ ଶନିଗ୍ରହ। ପୂର୍ବ ଦିଗବଳୟରେ ରହିବ ମଙ୍ଗଳ ଓ ଅଳ୍ପ ଉପରେ ଥିବ ଉଜ୍ୱଳ ବୃହସ୍ପତି ଗ୍ରହ। ଚଳିତମାସରେ ମହାକାଶରେ ଖାଲି ଆଖିରେ ଏଭଳି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ।
ଚଳିତ ଜାନୁଆରୀ ୧୮ ତାରିଖ ରାତି ୮.୩୦ଟା ବେଳକୁଶୁକ୍ର ଓ ଶନି ଗ୍ରହର ମିଳନ ହେବ । ପ୍ରାୟ ୨ ଘଣ୍ଟା ଧରି ଶୁକ୍ର ଶନି ଗ୍ରହର ଖୁବ୍ ନିକଟରେ ଦେଖାଯିବ ଓ ପରେ ଶନି ତଳକୁ ତଳକୁ ଯାଇ ଶୁକ୍ର ଗ୍ରହ ଠାରୁ ଦୁରେଇ ଯିବ। ସବୁଠାରୁ ବିଶେଷ କଥା ହେଲା ଏଭଳି ମହାଜାଗତିକ ଦୃଶ୍ୟ ଆମେ ଖାଲି ଆଖିରେ ମେଘମୁକ୍ତ ଆକାଶରେ ଦେଖିପାରିବା । ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଏହାକୁ ଦେଖିହେବ ଏବଂ ଏହାର କୌଣସି ପ୍ରଭାବ କାହା ଉପରେ ପଡିବ ନାହିଁ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
ଏବେ ମନରେ ପ୍ରଶ୍ନ ଆସୁଥିବ ଏହି ପ୍ଲାନେଟ୍ ପରେଡ୍ କଣ ? ମହାକାଶ ବିଶେଷଜ୍ଞ କହିବା ଅନୁଯାୟୀ କିଛି ଗ୍ରହ ଆକାଶରେ ଏକ ସମୟରେ ଦେଖାଯାନ୍ତି। ଏହାକୁ ଗ୍ରହ ମାନଙ୍କ ସମାବେଶ ବା ପ୍ଲାନେଟ୍ ପରେଡ୍ ବୋଲି କୁହାଯାଏ। ଚାରୋଟି ଗ୍ରହ ବର୍ଷକୁ ଥରେ ଅଳ୍ପ ଦିନ ପାଇଁ ଏକା ସମୟରେ ଦେଖାଯାଏ। ପାଞ୍ଚଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ଆଠଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଏକା ସମୟରେ ଦେଖାଯାଏ।