ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବା ପରେ୩ ନରେନ୍ଦ୍ର ମୋଦୀ ପ୍ରଥମ ଥର ରବିବାର ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ମୁଖ୍ୟାଳୟ ପହଞ୍ଚିଛନ୍ତି । କୌଣସି ବି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆରଏସଏସ ମୁଖ୍ୟାଳୟ ଗସ୍ତ । ଏହା ମଧ୍ୟରେ ଆରଏସଏସ କହିଛି ଯେ, ଭାରତୀୟ ଜନତା ପାର୍ଟି(ବିଜେପି) ସହ ଆମର କୌଣସି ମତଭେଦ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ବହୁତ ମହତ୍ୱପୂର୍ଣ୍ଣ ଓ ଐତିହାସିକ ଦର୍ଶାଇ ଆରଏସଏସର ଶେଷାନ୍ଦ୍ରି ଚାରି କହିଛନ୍ତି, ଲୋକ ସର୍ବଦା ଆରଏସଏସ ଓ ବିଜେପି ସମ୍ବନ୍ଧରେ କଥା କୁହନ୍ତି । ପୂର୍ବରୁ ମଧ୍ୟ ଅନେକ କଥା କହୁଥିଲେ । କିନ୍ତୁ ବାସ୍ତବତା ଏହା ଯେ, ବିଜେପି ଓ ଆରଏସଏସ ମଧ୍ୟରେ କୌଣସି ମତଭେଦ ନାହିଁ ।
ଆରଏସଏସ ନେତା କହିଛନ୍ତି, ଯେଉଁ ଲୋକେ ସଂଘ ଓ ବିଜେପି ବିଷୟରେ କିଛି ଜାଣନ୍ତି ନାହିଁ ସେମାନେ ବେଶି କୁହନ୍ତି ଯେ, ବିଜେପି ଓ ଆରଏସଏସ ମଧ୍ୟରେ ମତଭେଦ ରହିଛି । ଯେଉଁ ଲୋକେ ଏମିତି ମିଥ୍ୟା କଥା କୁହନ୍ତି ସେମାନେ ନିଜର ରାଜନୈତିକ ଫାଇଦା ପାଇଁ ଏମିତି କରିଥାନ୍ତି ।
ସୂଚନା ଅନୁଯାୟୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗସ୍ତର ଆରମ୍ଭ ନାଗପୁର ସ୍ଥିତ ସ୍ମୃତି ମନ୍ଦିରରେ ସଂଘର ସଂସ୍ଥାପକ ଡ. କେଶବ ବଳିରାମ ହେଡଗେୱାରଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କରିଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ଆରଏସଏସ ମୁଖ୍ୟାଳୟ ଆସିଛନ୍ତି । ଏହା ବହୁତ ମହତ୍ୱପୂର୍ଣ୍ଣ ଓ ଐତିହାସିକ ଗସ୍ତ । ଏହା ଆରଏସଏସର ୧୦୦ତମ ବର୍ଷର ଉତ୍ସବ । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।