ଅନନ୍ତନାଗର କୋକେରନାଗର ପାହାଡ଼ିଆ ଅଞ୍ଚଳରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଜାମ୍ମୁକଶ୍ମୀରର ଅନନ୍ତନାଗରେ ୫ଦିନରେ ପହଞ୍ଚିଲା ଏହି ସର୍ଚ୍ଚ ଅପରେସନ । ଗଡ଼ୁଲ ଜଙ୍ଗଲର ପାହାଡ଼ ଉପରେ ଥିବା ଗୁମ୍ଫା ଭିତରେ ଲୁଚି ରହିଛନ୍ତି ୨ ଆତଙ୍କାବାଦୀ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଚିହ୍ନଟ କରିବା ପାଇଁ ଏକ ଡ୍ରୋନର ସାହାର୍ଯ୍ୟ ନିଆଯାଉଛି । ଏହି ଡ୍ରୋନର ସାହାର୍ଯ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ପ୍ରକୃତ ସ୍ଥାନକୁ ଟିକିନିଖି କରି ଯାଞ୍ଚ କରାଯାଉଛି । ଏହି ସର୍ଚ୍ଚ ଅପରେସନରେ ପ୍ରାୟ ଦୁଇ ହଜାରରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ , ଲୁଚି ରହିଥିବା ଆତଙ୍କବାଦୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଥିବା କୁହାଯାଉଛି । ଏପରିକି ଆତଙ୍କବାଦୀଙ୍କ ସଂଖ୍ୟା ୨ରୁ ଅଧିକ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଜଣେ ନିଖୋଜ ଯବାନଙ୍କ ମର ଶରୀର ଗତକାଲି ମିଳିଥିଲା । ସେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ଏହାକୁ ମିଶାଇ ଗତ ତିନିଦିନରେ ଜାମ୍ମୁ-କାଶ୍ମୀରରେ ମୋଟ ୫ଜଣ ଶହୀଦ ହୋଇଥିଲେ ।
ଗତ ବୁଧବାର ଭାରତୀୟ ସେନାର ଜଣେ କର୍ଣ୍ଣେଲ , ଜଣେ ମେଜର ଏବଂ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଡିଏସପିଙ୍କ ସମେତ ୪ ଜଣ ସହିଦ ହୋଇଥିଲେ । ବୁଧବାର ଠାରୁ ଜାମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏକ ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ ରେ ପହଞ୍ଚିଥିଲା । ଶୁକ୍ରବାର ପଞ୍ଜାବର ମୋହାଲିଠାରେ ଶହୀଦ କର୍ଣ୍ଣେଲ ମନପ୍ରୀତସିଂହଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ଏହି ଅବସରରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶହୀଦ ମନପ୍ରୀତ ସିଂହଙ୍କ ୬ ବର୍ଷର ପୁଅ ସେନା ପୋଷାକରେ ଆସି ବାପାଙ୍କୁ ସାଲ୍ୟୁଟ ମାରିବା ଦେଖି ଅନେକଙ୍କ ଆଖିରେ ଲୁହ ଆସିଯାଇଥିଲା । ତାଙ୍କ ଝିଅ ମଧ୍ୟ ବାପାଙ୍କୁ ଜଣେ ଯବାନ ଭଳି ସାଲ୍ୟୁଟ ମାରିଥିଲେ । କର୍ଣ୍ଣେଲଙ୍କ ଗାଁ ଭାରୁନଜିଆନର ଅଧିକାଂଶ ଲୋକ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ପଞ୍ଜାବର ରାଜ୍ୟପାଳ ବନୱାରି ଲାଲ ପୁରୋହିତ, ପୂର୍ବତନ ସେନା ମୁଖ୍ୟ କେନରାଲ ଭି ପି ମଲ୍ଲିକ, ପଞ୍ଜାବର ଦୁଇଜଣ ମନ୍ତ୍ରୀ ଚେତନ ସିଂହ ଏବଂ ଅନମୋଲ ଗଗନ ମାନ ତଥା ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଘଟଣା ପରେ ପାକିସ୍ତାନ ସହ ସବୁ ପ୍ରକାରର ସମ୍ପର୍କ ଛିନ୍ନ କରିବାକୁ ସବୁ ମହଲରେ ଦାବି ଉଠିଥିଲା । ସିନେମାଠୁ ଆରମ୍ଭ କରି କ୍ରିକେଟ୍ ଯାଏଁ, ସବୁକିଛି ଅଲଗା ପରେ ହିଁ ପାକିସ୍ତାନ ବୁଦ୍ଧି ଶିଖିବ ବୋଲି କହିଛନ୍ତି ପୂର୍ବତନ ସେନା ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂ । ଅନ୍ୟପଟେ ଶିବସେନାର ଉଦ୍ଧବ ଗୋଷ୍ଠୀ ବି ଏହି ମନ୍ତବ୍ୟକୁ ସମର୍ଥନ କରିଛି । ଭାରତ-ପାକିସ୍ତାନ ମ୍ୟାଚ୍କୁ ରଦ୍ଦ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳ ।
କାଶ୍ମୀରରେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଅନ୍ୟପଟେ ଜାମ୍ମୁ-କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ ହୋଇଥିଲେ । ଏବେ ତନ ତନ ଭାବେ ଯାଞ୍ଚ କରାଯିବା ସହ କମ୍ବିଂକୁ ଆହୁରି କଡ଼ାକଡ଼ି କରାଯିବା ସହ ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଉଛି । ଯାହା ସୂଚନା ରହିଛି ଏହି ବଡ଼ ଧରଣର ଅପରେସନରେ ଶତ୍ରୁକୁ କଡ଼ା ଜବାବ ଦେବାକୁ ଲକ୍ଷ୍ୟ ରଖିଛି ଭାରତୀୟ ସେନା ।
ଆଗକୁ ପଢ଼ନ୍ତୁ : - ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା ପତାକା : ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି