ଆଜି ନୂଆ ସଂସଦ ଭବନରେ ଉଡିଲା ତ୍ରିରଙ୍ଗା ପତାକା । ଜାତୀୟ ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଗଜଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଉପରାଷ୍ଟ୍ରପତି । ଏହି ଅବସରରେ ବାଚସ୍ପତି ଓମ୍ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଭି ମୁରଳୀଧନରଙ୍କ ସମେତ ଉଭୟ ସଦନ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ।
ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ପୁରୁଣା ଭବନରେ ପ୍ରଥମ ଦିନର ଅଧିବେଶନରେ ଆଲୋଚନା ହେବ। ଏହାପର ଦିନ ଗଣେଶ ପୂଜାରେ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ ।
ନୂଆ ସଂସଦ ଭବନରେ ଧ୍ବଜାବରଣ ପରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଏହା ଏକ ଐତିହାସିକ ମୁହୂର୍ତ୍ତ, ପରିବର୍ତ୍ତନର ସାକ୍ଷୀ ପାଲଟିଛି ଭାରତ । ଦେଶର ବିଶାଳ ପରିବର୍ତ୍ତନକୁ ଦେଖୁଛି ସାରା ବିଶ୍ବ । ଭାରତର ଶକ୍ତି ଏବଂ ଅବଦାନକୁ ବିଶ୍ବର ସ୍ବୀକୃତି ମିଳିଛି । ତୃଣମୂଳ ସ୍ତରରୁ ଦେଶ ବିକାଶ ଅଭିମୁଖେ ଯାତ୍ରା କରୁଛି । ବିକାଶର ଜୟଯାତ୍ରାରେ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।