ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ରଣନୈତିକ ପ୍ରତିରକ୍ଷା ଭାଗିଦାରୀକୁ ନେଇ ବଡ଼ ଖବର ଆସିଛି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଗସ୍ତ ପୂର୍ବରୁ ଫ୍ରାନ୍ସ ଭାରତକୁ ୨୬ଟି ରାଫେଲ ସାମୁଦ୍ରିକ ବିମାନ ଚୁକ୍ତିର ଚୂଡ଼ାନ୍ତ ମୂଲ୍ୟ ପ୍ରଦାନ କରିଛି।
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଚୁକ୍ତିକୁ ନେଇ ବହୁ ଆଲୋଚନା ଓ ମୂଲ୍ୟରେ ହ୍ରାସ ନିମନ୍ତେ ଭାରତ ପକ୍ଷରୁ ଫ୍ରାନ୍ସକୁ ଅବଗତ କରାଯାଇଥିଲା। ଫଳରେ ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହାପରେ ଭାରତକୁ ସର୍ବଶ୍ରେଷ୍ଠ ମୂଲ୍ୟରେ ରାଫେଲ କ୍ରୟ କରିବାକୁ ଫ୍ରାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୬ଟି ରାଫେଲ କ୍ରୟ କରିବା ନିମନ୍ତେ ଆଲୋଚନା ଚାଲିଥିଲା। ଏହି ସବୁ ରାଫେଲ ବିମାନକୁ ଆଇଏନଏସ ବିକ୍ରାନ୍ତ ଭଳି ବିମାନ ବାହକରେ ତଥା ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ।
ଦୁଇପକ୍ଷ ମଧ୍ୟରେ ଗତ ସପ୍ତାହରେ ଏହି ସଂକ୍ରାନ୍ତରେ ଆଲୋଚନା ଜାରି ରହିଥିଲା। ଏସଂକ୍ରାନ୍ତରେ ଫ୍ରାନ୍ସରୁ ଏକ ଟିମ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ଚୂଡାନ୍ତ ନିଷ୍ପତ୍ତି ପାଇଁ ଭାରତ ପକ୍ଷରୁ ଶ୍ରୀ ଡୋଭାଲ ଫ୍ରାନ୍ସ ଗସ୍ତରେ ଯାଇ ସେଠାରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଏହି ପ୍ରସ୍ତାବ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ ଭୂମିକା ବହନ କରିବ ବୋଲି ଆଶା ବ୍ୟକ୍ତ କରାଯାଉଛି। ଭାରତୀୟ ନୌସେନାର ଆଧିପତ୍ୟ ବିସ୍ତାରକୁ ନେଇ ଆଲୋଚନା ଚାଲୁଥିବା ବେଳେ, ଏହି ଚୁକ୍ତି ନୌସେନାର ସାମୁଦ୍ରିକ ଉପସ୍ଥିତି ତଥା ପ୍ରଭାବକୁ ସୁଦୃଢ଼ କରିବ।