ନୂଆଦିଲ୍ଲୀ: ସିନେ ସୁପର ଷ୍ଟାରରୁ ରାଜନେତା ସାଜିଥିବା ତାମିଲ ମେଗା ଷ୍ଟାର ଥାଲାପତି ବିଜୟ ବଡ ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ୮ ମାସ ତଳେ ନିଜର ‘ତାମିଲିଗା ଭେଟ୍ଟ୍ରି କାଜଘାମ(ଟିଭିକେ)’ ଦଳ ଘୋଷଣା କରିଥିବା ଥାଲାପତି ରବିବାର ଦଳ ପ୍ରଚାର ଆରମ୍ଭ କରିଛନ୍ତି । ଭିଲ୍ଲୁପୁର ଜିଲ୍ଲାର ନିର୍ବାଚନ ପ୍ରଚାର କରି ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟ ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି। ତାଙ୍କ ଦଳ ଜିତିଲେ ରାଜ୍ୟପାଳ ପଦବୀ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।
ତାଙ୍କ ଦଳ ଜିତିଲେ ରାଜ୍ୟ ପାଇଁ ତାଙ୍କର କ’ଣ ସବୁ ଲକ୍ଷ୍ୟ ରହିଛି ସେ ନେଇ ବିଜୟ ପ୍ରଚାର ବେଳେ ଖୋଲାଖୋଲି ଘୋଷଣା କରିଛନ୍ତି ଥାଲାପତି ବିଜୟ। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତାମିଲ ଭାଷାକୁ କୋର୍ଟର ପ୍ରଶାସନିକ ଭାଷା ବନାଇବା ସହିତ ରାଜ୍ୟପାଳ ପଦବୀ ଉଚ୍ଛେଦ କରାଯିବ।
ବିଜୟଙ୍କ ନିର୍ବାଚନୀ ସଭାରେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରବଳ ଗରମ ସତ୍ତ୍ୱେ ମେଗା ଷ୍ଟାରଙ୍କ ରାଲିରେ ଅଭୁତପୂର୍ବ ଜନସମାଗମ ଦେଖିବାକୁ ମିଳିଥିଲା। ରବିବାର ଦଳ ପାଇଁ ପ୍ରଚାର ବେଳେ ବିଜୟ କହିଥିଲେ ତାଙ୍କ ଦଳ ସରକାର ଗଢ଼ିଲେ ତାମିଲନାଡୁରେ ତାମିଲକୁ "କୋର୍ଟ ଏବଂ ମନ୍ଦିରର ଭାଷା" କରାଯିବ।
ସେ କହିଛନ୍ତି ପେରିୟାର ହେଉଛନ୍ତି ଆମ ଆଦର୍ଶର ନେତା। ଆମ ଦଳ ସମସ୍ତ ଧାର୍ମିକ ବିଶ୍ୱାସକୁ ସମ୍ମାନ କରେ। ତଥାପି ଆମେ ମହିଳାଙ୍କ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ ପରି ନୀତିକୁ ସମର୍ଥନ କରୁଛୁ ଯାହା ପାଇଁ ପେରିୟର୍ ଅନେକ କାମ କରିଥିଲେ। ଏହି ମୂଲ୍ୟବୋଧକୁ ଆମ ଦଳ ଆଗକୁ ନେବ।
କେବଳ ସେତିକି ନୁହେଁ, ସମ୍ବିଧାନ ପ୍ରଣେତା ବି. ଆର୍ ଆମ୍ବେଦକରଙ୍କ ସାମାଜିକ ନ୍ୟାୟର ଲଢ଼େଇକୁ ମଧ୍ୟ ତାଙ୍କ ଦଳର ଆଦର୍ଶ ବୋଲି ବିଜୟ କହିଛନ୍ତି। ତା’ ସହିତ ଆମ ଦଳ ପ୍ରଥମ ଦଳ ଯିଏ ଗର୍ବର ସହିତ ମହିଳାଙ୍କୁ ଆଦର୍ଶନ ବୋଲି ମାନୁଛି ବୋଲି ବିଜୟ କହିଥିଲେ।