ଉଦ୍ଦାମପୁର: ଜମ୍ମୁ କଶ୍ମୀରର କାଠୁଆ ଆତଙ୍କବାଦୀ ଆକ୍ରମଣ ଘଟଣାର ୫୨ ଘଣ୍ଟା ପରେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ସମାନ ପ୍ରକାରର ପରିସ୍ଥିତି ଦେଖବାକୁ ମିଳିଛି। ବସନ୍ତଗଡ଼ରୁ ୧୦ କିଲୋମିଟର ଦୂର ସଂଗ ପୁଲିସ ପୋଷ୍ଟ ନିକଟରେ ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଯବାନଙ୍କ ଉପରକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଛନ୍ତି। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ସେମାନେ ଗୁଳି କରିଥିଲେ। ସୁରକ୍ଷାବାହିନୀର ଯବାନମାନେ କାର୍ଯ୍ୟାନୁଷ୍ଠାନ ନେଲା ପରେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ଯାଇଥିଲେ। ତେବେ ଏହି ଘଟଣା ପରେ ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି।
ଆଶଙ୍କା କରାଯାଉଛି ଯେ, କାଠୁଆ ଘଟଣାରେ ସଂପକୃ ଆତଙ୍କବାଦୀମାନେ ମଧ୍ୟ ସମ୍ଭବତଃ ଏହି ଗୁଳିମାଡ଼ କରିଥାଇ ପାରନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ ପରେ ସୁରକ୍ଷାବାହିନୀର ଯବାନମାନେ ବନ୍ଧୁକ ଉଠାଇଥିଲେ। ଏହା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ବୁଧବାର ସନ୍ଧ୍ୟା ପାଖାପାଖି ୮ଟାରେ ବସନ୍ତଗଡ଼ ନିକଟ ୧୦ କିଲୋମିଟର ଦୂର ସଂଗ ପୁଲିସ ପୋଷ୍ଟ ଠାରୁ ଅଳ୍ପ ବାଟ ଗଲା ପରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଗୁଳିମାଡ଼ର ସାମ୍ନା କରିଥିଲେ।
ଆତଙ୍କବାଦୀଙ୍କ ଗୁଳିମାଡ଼ ଘଟଣା ସଂପର୍କରେ ଅବଗତ ହେଲା ପରେ ପୁଲିସ ପୋଷ୍ଟ ଆଖପାଖରେ ଥିବା ଅନ୍ୟ ସୁରକ୍ଷାବାହିନୀ ମଧ୍ୟ ପହଞ୍ଚି ଯାଇଥିଲେ। ଏହା ପରେ ପାଖାପାଖି ଅଧଘଣ୍ଟା ଯାଏଁ ଗୁଳିମାଡ଼ ଜାରି ରହିଥିଲା। କିନ୍ତୁ ଆତଙ୍କବାଦୀମାନେ ଶେଷରେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସୁରକ୍ଷାବାହିନୀର ଯବାନମାନେ ସଂପୃକ୍ତ ଜଙ୍ଗଲକୁ ଘେରାବନ୍ଦୀ କରିଛନ୍ତି। ଏଥି ସହିତ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ସର୍ଚ୍ଚ ଅପରେଶନ ପାଇଁ ବ୍ୟାପକ ଭାବେ ଯବାନ ଯୋଗ ଦେଇଛନ୍ତି।