ଇସଲାମାବାଦ: ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ମିରାନଶାହରେ ଶୁକ୍ରବାର ଅପରାହ୍ଣ ସାଢ଼େ ୪ଟାରେ ଏକ ବଜାର ମଧ୍ୟଭାଗରେ ଥିବା ଏକ ପାକିସ୍ତାନୀ ସେନା ଚେକ୍ ପଏଣ୍ଟରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମରରେ ୫ଜଣ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ହାଫିଜ୍ ଗୁଲ୍ ବାହାଦୁର ଗୋଷ୍ଠୀ ସହିତ ଜଡିତ ଏକ ଆତଙ୍କବାଦୀ ସଂଗଠନ ଉସ୍ତୁଦ୍ ଉଲ୍ ଖୋରାସାନ୍ (ୟୁଏସ୍କେ) ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ କରିଛି।
ରିପୋର୍ଟ ଅନୁଯାୟୀ ଅପରାହ୍ନ ସାଢ଼େ ୪ଟା ୩୦ ସମୟରେ ଉତ୍ତର ୱାଜିରିସ୍ତାନର ମିରାନଶାହରେ ଚଷମା ସେତୁରେ ଅବସ୍ଥିତ ଏକ ସେନା ଚେକ୍ ପଏଣ୍ଟରେ ଏକ ବାଇକ୍ରେ ବିସ୍ଫୋରକ ବହନ କରୁଥିବା ଜଣେ ଆତଙ୍କବାଦୀ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା, ଯାହା ଫଳରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ବଜାରରେ ଥିବା ଲୋକମାନେ ମଧ୍ୟ ପ୍ରଭାବିତ ହୋଇଥିଲେ।
ବିସ୍ଫୋରଣରେ ଅନେକ ପାକିସ୍ତାନୀ ସେନା ସୈନିକ ଏବଂ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ ଆହତଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପାକିସ୍ତାନୀ ସେନା ବିସ୍ଫୋରଣରେ ମୃତ ସୈନିକଙ୍କ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରିନାହିଁ, କିନ୍ତୁ ନିହତ ୧୮ ଜଣ ସାଧାରଣ ନାଗରିକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି।
ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ଉସ୍ତୁଦ ଉଲ ଖୋରାସନ ଇତ୍ତିହାଦ ଉଲ ମୁଜାହିଦୀନ ପାକିସ୍ତାନ ସହିତ ଜଡିତ ଏବଂ ଆଇଏମ୍ପି ମୁଖ୍ୟ ହାଫିଜ ଗୁଲ ବାହାଦୁରଙ୍କ ପାଇଁ କାମ କରେ। ଏହି ହାଫିଜ ଗୁଲ ବାହାଦୁରଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଦ୍ୱାରା ଆଫଗାନ ଜିହାଦ ପାଇଁ ପ୍ରସ୍ତୁତ କରାଯାଇଥିଲା, ଯେଉଁଠାରେ ଗୁଲ ବାହାଦୁର ପ୍ରାରମ୍ଭରେ ବାନୁରେ ମସୁଦ ଆଝାରଙ୍କ ତାଲିମ ଶିବିରରେ ତାଲିମ ନେଇଥିଲେ। ଏହା ବ୍ୟତୀତ, ଆଫଗାନିସ୍ତାନରୁ ଫେରିବା ପରେ, ହାଫିଜ ଗୁଲ ବାହାଦୁର ଆତଙ୍କବାଦୀ ମସୁଦ ଆଝାରଙ୍କ ସହିତ ଯୋଗ ଦେଇଥିଲେ ଏବଂ ଭାରତ ଉପରେ ଆକ୍ରମଣ କରିବା ପାଇଁ ଦତ୍ତଖେଲ ଏବଂ ମିରାନଶାହରେ ଜୈଶ-ଏ-ମହମ୍ମଦ ପାଇଁ ଆତଙ୍କବାଦୀମାନଙ୍କୁ ନିଯୁକ୍ତି ଦେଇଥିଲେ।
ସେ ନିଜର ମଦ୍ରାସା ମଧ୍ୟ ଚଳାଉଥିଲେ, ଯେଉଁଠାରେ ସେ ଆତଙ୍କବାଦୀମାନଙ୍କୁ ତାଲିମ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଆଫଗାନିସ୍ତାନ ଏବଂ ୪୦ ପ୍ରତିଶତକୁ ଜୈଶ-ଏ-ମହମ୍ମଦ ଏବଂ ଅଲ-ବଦର ପାଇଁ ଲଢ଼ିବା ପାଇଁ କାଶ୍ମୀରକୁ ପଠାଇଥିଲେ। ତଥାପି ଲାଲ ମସଜିଦ ଘଟଣା ପରେ, ଯେତେବେଳେ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଜନ୍ମ ନେଇଥିଲା, ହାଫିଜ୍ ଗୁଲ୍ ବାହାଦୁର ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିଥିବା ଆତଙ୍କବାଦୀମାନଙ୍କ ସହିତ ଯୋଗ ଦେଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ନେପାଳ ନିର୍ବାଚନ: ବିଜୟ ଅଭିମୁଖେ ବାଲେନ୍ ଶାହଙ୍କ ଦଳ