ଉତ୍ତର ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦ ପାର୍ ହୋଇଛି। ଏବେ ବି ୧୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଳୟର ତିନିଦିନ ପରେ ବି ପଙ୍କମିଶା ଧ୍ୱଂସ ସ୍ତୁପ ତଳୁ ଜୀବନ ଖୋଜୁଛି ଏହି ବନ୍ୟା ପୀଡ଼ିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ । କେଉଁଠି ଜୀବନର ସନ୍ଧାନ ମିଳୁଛି, ଆଉ କେଉଁଠି ସୀମାହୀନ ଯନ୍ତ୍ରଣାର ଚିତ୍ର। ଏ ଭିତରେ ମୃତ୍ୟୁ ସଂଖ୍ୟା ୪୦ ଟପିଥିବା ବେଳେ, ଏବେ ବି ମିଳିନି ନିଖୋଜ ୧୭ ଯବାନଙ୍କ ପତ୍ତା । ଫସିଥିବା ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ ପାଇଁ ତୟାର ହେଉଛି ସେନା । ଏପଟେ ନୀଳଗିରିର ଜଣେ ଯୁବ ଇଞ୍ଜିନିୟରଙ୍କ ସିକ୍କିମରୁ ଫେରିବା ବାଟକୁ ଅଖଣ୍ଡ ଦୀପ ଜାଳି ଚାହିଁ ବସିଛନ୍ତି ପରିବାର ଲୋକେ । ପାଣିର ଗର୍ଜନ ଶାନ୍ତ ପଡ଼ିବା ପରେ, କାନରେ ବାଜୁଛି କୁନି ପିଲାର କଇଁ କଇଁ କାନ୍ଦ । ଅଶାନ୍ତ ତିସ୍ତା ନଦୀ ଶାନ୍ତ ପଡ଼ିବା ପରେ, ଆଖିର ଲୁହ ପୋଛି ଧୀରେ ଧୀରେ ପ୍ରକୃତିସ୍ଥ ହେଉଛି ସିକ୍କିମ । ଅବଶୋଷର ଦୀର୍ଘ ନିଶ୍ୱାସ ଛାଡ଼ି, ଅବଶେଷ ସାଉଁଟୁଛି ସିକ୍କିମ । ଚାରିଆଡ଼େ ମାଟିମଟାଳ ଘେରା ଧ୍ୱଂସସ୍ତୁପ । ଘର ବାହାରେ, ଘର ଭିତରେ ପରସ୍ତ ପରସ୍ତ ପଟୁ । କେଉଁଠି ଜୀବନର ଆଶା ଜାଗୁଛି, ତ ଆଉ କେଉଁଠି ମାଟିତଳୁ ବାହରୁଛି ନିସ୍ତେଜ ଶରୀର। ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି | ବିପତ୍ତିର ଦିନ ଶୀଘ୍ର ଟଳିଯାଉ, ଭଗବାନଙ୍କୁ ସେଇ ପ୍ରାର୍ଥନା କରୁଛନ୍ତି ସିକ୍କିମବାସୀ ।
ଘର ସିନା ନାହିଁ, ହେଲେ ଈଶ୍ୱରଙ୍କ ଉପରୁ ଏବେ ବି ଆସ୍ଥା ଛାଡ଼ିନାହାନ୍ତି ଲୋକେ । ବିପତ୍ତିକୁ ଟାଳିବା ପାଇଁ ରାସ୍ତା କଡ଼ରେ ଚାଲିଛି ପୂଜା ଆରାଧନା । ଆଉ ଏପଟେ ସିକ୍କିମଠୁ ହଜାରେ କିଲୋମିଟର ଦୂର, ବାଲେଶ୍ବର ନୀଳଗିରିରେ ବି ଜଳୁଛି ଅଖଣ୍ଡ ଦୀପ । ସବୁଠି ଚାଲିଛି ପୂଜାର୍ଚ୍ଚନା । ନୀଳଗିରି ଗୋପୀନାଥପୁରର ସତ୍ୟ ସୁନ୍ଦର ବାରିକ ସିକ୍କିମ ନାମଥଙ୍ଗ୍ ଅଞ୍ଚଳର ଏକ କଂପାନୀରେ ଇଞ୍ଜିନିୟର ଅଛନ୍ତି । ପରିବାର ଲୋକଙ୍କୁ ଖବର ଦେଇଥିଲେ ଯେ, ବନ୍ୟା ଆସିବା ପରେ ୩ ଦିନ ହେବ ଶୁଖିଲା ଖାଦ୍ୟ ଖାଇ ଖାଇ ସେଇଠି ଫସିରହିଛନ୍ତି । ହେଲେ ଏବେ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ଅଖଣ୍ଡ ଦୀପ ଜାଳି ତାଙ୍କ ଫେରିବା ବାଟ ଚାହିଁବସିଛନ୍ତି ପୂରା ପରିବାର । ସିକ୍କିମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦ ଟପିଲାଣି । ଖାଲି ତୀସ୍ତା ନଦୀରୁ ମିଳିଲାଣି ୨୦ରୁ ଅଧିକ ମୃତଦେହ । ପ୍ରାୟ ୩ ହଜାର ପର୍ଯ୍ୟଟକ ବୁଲିବାକୁ ଯାଇ ବିଭିନ୍ନ ଅପହଞ୍ଚ ଇଲାକାରେ ଫସିରହିଛନ୍ତି । ରାଜଧାନୀ ଗ୍ୟାଙ୍ଗଟକ୍ ସମେତ ବହୁ ପର୍ଯ୍ୟଟନ ସ୍ଥଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ, ପାଗ ସୁଧୁରିଲେ ହେଲିକପ୍ଟର ଯୋଗେ ବିପନ୍ନଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା କରୁଛି ସେନା।
ଅଧିକ ପଢ଼ନ୍ତୁ : ୨୩ ନିଖୋଜ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯବାନ