ନୂଆଦିଲ୍ଲୀ, ଜୁଲାଇ ୧୩ (ଖବର ଓଡ଼ିଶା):
ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଧରି ପାରନ୍ତି ପଦ୍ମ! ଏବେ ସଙ୍କଟରେ ରାଜସ୍ଥାନର ଅଶୋକ ଗେହଲୋଟଙ୍କ କଂଗ୍ରେସ ସରକାର।
କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିବା ସହ ଦିଲ୍ଲୀରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରି ସଙ୍କଟ ସମୟରେ ବିଧାୟକମାନଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ସୋନିଆ ଗାନ୍ଧୀ ୩ ଜଣିଆ ଟିମ ରାଜସ୍ଥାନ ପଠେଇଛନ୍ତି। ସେହି ଟିମରେ ରଣଦୀପ ସୁରଜଵାଲା, ଅଜୟ ମାକନ ଏବଂ ରାଜସ୍ଥାନ ଇନଚାର୍ଜ ଅଭିନାଶ ପାଣ୍ଡେ ରହିଛନ୍ତି।
ଅନ୍ୟପଟେ କଂଗ୍ରେସ ନିଜର ଆଭିମୁଖ୍ୟକୁ ଦୃଢ଼ କରି ଆଜି ହେବାକୁ ଥିବା ବିଧାୟକ ବୈଠକରେ ଯୋଗ ଦେବା ପାଇଁ ପ୍ରସ୍ତୁତ। ବୈଠକରେ ଉପସ୍ଥିତ ନ ରହିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଭିନାଶ ପାଣ୍ଡେ ସୂଚନା ଦେଇଛନ୍ତି।ସେପଟେ 109 ଜଣ ବିଧାୟକଙ୍କ ସମର୍ଥନ ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟରେ ରହିଛି ଏବଂ ସେମାନେ
ଆଜି ସକାଳେ ବୈଠକରେ ଯୋଗ ଦେବେ ବୋଲି କଂଗ୍ରେସ ବିଧାୟକ ମାନେ ମତ ଦେଇଛନ୍ତି। ହୁଇପ ଉଲଂଘନ କରିଲେ ପାଇଲଟ ଦଳର ସଦସ୍ୟତା ହରେଇବେ ବୋଲି ରାଜସ୍ଥାନ କଂଗ୍ରେସ ପକ୍ଷରୁ ବାର୍ତ୍ତା ଜାରି କରାଯାଇଛି। ତେବେ ଅନ୍ୟପଟେ ପାଇଲଟ ବୈଠକରେ ଯୋଗ ଦେବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ପାଇଲଟ ଆଜି ନୂଆଦିଲ୍ଲୀରେ ବିଜେପି ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡିଛି।