ନୂଆଦିଲ୍ଲୀ: ମାଳଦ୍ୱୀପର ବିରୋଧୀମାନେ ରାଷ୍ଟ୍ରପତି ମହମ୍ମଦ ମୁଇଜଜୁଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଭାରତଠାରୁ ୬ ନିୟୁତ ଡଲାର ଦାବି କରିଥିଲେ। ଆମେରିକୀୟ ଖବରକାଗଜ 'ଦ ୱାଶିଂଟନ୍ ପୋଷ୍ଟ୍'ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ମୁଇଜ୍ଜୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିବା ପାଇଁ ଆର୍ଥିକ ସହାୟତା ଭାବରେ ଏହି ଟଙ୍କା ଲୋଡ଼ାଯାଇଥିବା ରିପୋର୍ଟରେ ଦାବି କରାଯାଇଛି। ଭାରତୀୟ ଗୁଇନ୍ଦା ଏଜେନ୍ସି 'ର'ର ଜଣେ ଏଜେଣ୍ଟ ମାଳଦ୍ୱୀପର ବିରୋଧୀ ନେତାଙ୍କ ସହ ଯୋଗାଯୋଗରେ ଥିଲେ।
ୱାଶିଂଟନ ପୋଷ୍ଟ ଏକ ଆଭ୍ୟନ୍ତରୀଣ ଦସ୍ତାବିଜକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଏହା ଅନୁଯାୟୀ ମାଳଦ୍ୱୀପ ବିରୋଧୀ ଦଳ ନେତାମାନେ ମୁଇଜୁଙ୍କ ଦଳ ପିପୁଲ୍ସ ନ୍ୟାସନାଲ କଂଗ୍ରେସର ସଦସ୍ୟଙ୍କ ସମେତ ୪୦ ଜଣ ସଦସ୍ୟଙ୍କୁ ଲାଞ୍ଚ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ସମସ୍ତ ସଦସ୍ୟ ମହାଭିଯୋଗ ପ୍ରସ୍ତାବ ଉପରେ ମୁଇଜ୍ଜୁଙ୍କ ବିପକ୍ଷରେ ଭୋଟ୍ ଦେଇଥାନ୍ତେ।
ମୁଇଜୁଙ୍କୁ ହଟାଇବା ପାଇଁ ର'ର ଜଣେ ବରିଷ୍ଠ ଅଧିକାରୀ ୱାଶିଂଟନରେ ଥିବା ଭାରତୀୟ ଦୂତାବାସରେ ଦୁଇ ଜଣଙ୍କ ସହ ଆଲୋଚନା କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଶିରିଷ ଥୋରାଟ୍ ଏବଂ ଅନ୍ୟଜଣେ ହେଉଛନ୍ତି ପୂର୍ବତନ ବିଜେପି ମୁଖପାତ୍ର ସାଭିଓ ରୋଡ୍ରିଗ୍ସ।
ଓ୍ଵାଶିଂଟନ ପୋଷ୍ଟ ଆହୁରି ମଧ୍ୟ ଦାବି କରିଛି ଯେ ଥୋରାଟ୍ ଏବଂ ରୋଡ୍ରିଗ୍ସ ଏହା ନିଶ୍ଚିତ କରିଛନ୍ତି, କିନ୍ତୁ ସେମାନେ ଭାରତ ସରକାରଙ୍କ ତରଫରୁ କାର୍ଯ୍ୟ କରୁଛନ୍ତି ବୋଲି କହିନାହାଁନ୍ତି। ରୋଡ୍ରିଗ୍ସ ଗୋଆ କ୍ରୋନିକାଲ ନାମକ ଏକ ଅନଲାଇନ ପୋର୍ଟାଲ ଚଳାଉଛନ୍ତି। ଏଥିରେ ଦାବି କରାଯାଇଛି ଯେ ମୁଇଜଜୁଙ୍କ ପରିବାର ସଦସ୍ୟ ଭାରତରେ ଆତଙ୍କବାଦୀ ଷଡ଼ଯନ୍ତ୍ର ସହ ଜଡ଼ିତ ଥିଲେ।
ମାଳଦ୍ୱୀପର ସବୁଠାରୁ ବଡ଼ ବିରୋଧୀ ଦଳ ମାଲଦିଭାନ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ରସିଦ ୱାଶିଂଟନ ପୋଷ୍ଟ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ସେ ଏଭଳି କୌଣସି ଷଡ଼ଯନ୍ତ୍ର ବିଷୟରେ ଅବଗତ ନୁହଁନ୍ତି ଏବଂ ଭାରତ ଏଭଳି କୌଣସି ପଦକ୍ଷେପକୁ ସମର୍ଥନ କରିବ ନାହିଁ।
ଅଧିକ ପଢ଼ନ୍ତୁ: ଗର୍ଭଗୃହ ଖନନ ବେଳେ ମିଳିଲା ଶିବଲିଙ୍ଗ