ଦିନକୁ ଦିନ ଟ୍ରେନ ସମ୍ପର୍କୀୟ ଦୁର୍ଘଟଣା ବଢ଼ିବାରେ ଲାଗିଛି । କେତେବେଳେ ଟ୍ରେନରେ ନିଆଁ ଲାଗୁଛି ତ ପୁଣି କେତେବେଳେ ଟ୍ରେନ ଟ୍ରେନ ମୁହାଁମୁହିଁ ଧକ୍କା ହେଉଛନ୍ତି । ଯେଉଁ ଦୁର୍ଘଟଣାରେ ଯାତ୍ରୀଙ୍କର ଜୀବନ ଯିବା ସହିତ ଅନେକ ଆହତ ଓ ଗୁରୁତର ହେଉଛନ୍ତି । ଟ୍ରେନର ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କ ସହିତ ଅନ୍ୟାନ୍ୟ କ୍ଷତି ସହିଥିବା ଲୋକଙ୍କୁ ଦିଆଯାଉଥିବା ସହାୟତା ରାଶିରେ ପରିମାଣ ବୃଦ୍ଧି କରାଯାଇଛି ବୋଲି ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି ।
ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହିତ ଆହତ, ଗୁରୁତର ଲୋକଙ୍କୁ ମିଳିବ ୧୦ ଗୁଣ ଅଧିକ କ୍ଷତିପୂରଣ ରାଶି । ସେପ୍ଟେମ୍ବର ୧୮ ତାରିଖରେ ନିଆଯାଇଥିବା ନିଷ୍ପତ୍ତିରେ ରେଳବାଇ ପକ୍ଷରୁ ସୂଚନା ମିଳିଛି ଯେ, ଟ୍ରେନ ଦୁର୍ଘଟଣାରେ ଜୀବନ ହରାଇଥିବା ବା ନିଜର କିଛି କ୍ଷତି ସହିଥିବା ଲୋକଙ୍କର କ୍ଷତିପୂରଣ ରାଶିକୁ ବଢାଯାଇଛି । ଶେଷ ଥର ପାଇଁ ୨୦୧୨ ଓ ୨୦୧୩ ମସିହାରେ ସହାୟତା ରାଶି ସଂଶୋଧିତ କରାଯାଇଥିଲା । ଏବେ ପୁଣି ସଂଶୋଧିତ କରାଯାଇ ସହାୟତା ରାଶିର ପରିମାଣ ବୃଦ୍ଧି କରାଯାଇଛି । ରେଳବାଇର ନୂଆ ନିଷ୍ପତ୍ତି ଆନୁଯାୟୀ, ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ନିଜ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଉଥିଲା କିନ୍ତୁ ଏବେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିଭଳି ଭାବେ ଗୁରୁତର ଆହତଙ୍କୁ ୨୫ ହଜାର କ୍ଷତିପୂରଣ ରାଶି ମିଳୁଥିଲା ଏବେ ତାହା ୨.୫୦ ଲକ୍ଷ ଟଙ୍କା କରାଯାଇଛି । ଅଳ୍ପ କ୍ଷତି ସହିଥିବା ଲୋକଙ୍କୁ ୫ ହଜାର ପରିବର୍ତ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ପୂର୍ବରୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶିର ପରିମାଣକୁ ବଢ଼ାଯାଇ ଏବେ ୧୦ ଗୁଣ ଅଧିକ କରାଯାଇଛି । ୧୯୮୯ ରେଳବାଇ ଆକ୍ଟ ଅନୁସାରେ, ରେଳ ଦୁର୍ଘଟଣାରେ ଆହତ, ମୃତ ଓ ଅପ୍ରତ୍ୟାଶିତ ଘଟଣାରେ ପୀଡ଼ିତଙ୍କୁ ଓ ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ଦିଆଯାଉଛି ।
ଆଗକୁ ପଢ଼ନ୍ତୁ : "ଆକାଶ" ଏୟାରଲାଇନ୍ସ : ଦୈନିକ ୨୪ଟି ବିମାନର ଉଡାଣକୁ ବାତିଲ