ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟରେ ଅନିମିୟତତା ଏବଂ ହେରଫେର ନେଇ ନିର୍ବାଚନ ଆୟୋଗଙ୍କ ସମାଲୋଚନା କରି ଆସିଛନ୍ତି । ବିଜେପି ଓ ଇସିଆଇ ମିଶି ଭୋଟ୍ ଚୋରି କରୁଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଏହି କ୍ରମରେ ରାହୁଲଙ୍କ ଏକ ବ୍ୟକ୍ତି ଏକ ଭୋଟ୍ ଲଢେଇ କରିବାର ଦାବି ଉପରେ ନିର୍ବାଚନ ଆୟୋଗ ଜବାବ ଦେଇଛନ୍ତି ।
ନିର୍ବାଚନ ଆୟୋଗ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ସ୍ମରଣ କରାଇ କହିଛନ୍ତି, ଦେଶରେ ଗୋଟିଏ ଭୋଟ୍ ଗୋଟିଏ ବ୍ୟକ୍ତିଙ୍କ ସିଦ୍ଧାନ୍ତ ୧୯୫୧-୫୨ ଦେଶର ପ୍ରଥମ ସାଧାରଣ ନିର୍ବାଚନ ସମୟରୁ ଲାଗୁ ହୋଇଛି । ଭାରତ ଇଂରେଜଙ୍କଠୁ ସ୍ୱାଧୀନ ହେବା ଏବଂ ଗଣତନ୍ତ୍ର ଲାଗୁ ହେବା ପରେ ୧୯୫୨ରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା । ଏକ ବ୍ୟକ୍ତି ଏକ ଭୋଟ୍ କଥା କୌଣସି ନୂଆ ଜିନିଷ ନୁହେଁ ବୋଲି ଆୟୋଗ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ।
ଏହା ବ୍ୟତୀତ ଆୟୋଗ କହିଛନ୍ତି, ଯଦି କାହା ପାଖରେ ପ୍ରମାଣ ଅଛି ଯେ ଜଣେ ବ୍ୟକ୍ତି କୌଣସି ନିର୍ବାଚନରେ ଦୁଇ ଥର ଭୋଟ୍ ଦେଇଛନ୍ତି ତାର ସୂଚନା ଦିଅନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏମିତି ସୂଚନା ଅଛି ତେବେ ସେ ସତ୍ୟପାଠ ଜରିଆରେ ନିର୍ବାଚନ ଆୟୋଗଙ୍କ ସହ ଯୋଗାଯୋଗ କରି ପାରିବେ । ଏହା ହିଁ ଠିକ୍ ପ୍ରକ୍ରିୟା ହେବ । ଏମିତି ନ କରି ଯଦି କିଏ ବିନା ପ୍ରମାଣରେ ନିର୍ବାଚିତ ପ୍ରତିନିଧିଙ୍କୁ ଚୋରି ବୋଲି କହେ ତେବେ ଏହା ଭୁଲ୍ । ଏଥିରେ ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ଏବଂ ଏହାର ଗରିମା ହ୍ରାସ ପାଇବ । ଆୟୋଗ ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଭୋଟ୍ ଚୋରି ପରି ଖରାପ ଶବ୍ଦ ବ୍ୟବହାର କରି ମିଛର କାହାଣୀ ସୃଷ୍ଟି କରୁଛନ୍ତି । ଯଦି ପ୍ରମାଣ ଅଛି ତେବେ ଆମକୁ ଦିଅନ୍ତୁ ।