ସମଗ୍ର ବିଶ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ନେତା ହେବାର ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଭଳି ବଡ଼ବଡ଼ ଦେଶର ନେତାଙ୍କୁ ପଛରେ ପକାଇ ମୋଦି ୧ନମ୍ବର ସ୍ଥାନରେ ରହିଛନ୍ତି ।
ବିଶ୍ୱସ୍ତରୀୟ ନେତାଙ୍କ ଲୋକପ୍ରିୟତାକୁ ଟ୍ରାକ କରୁଥିବା ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଏହି ରିପୋର୍ଟ ଦେଇଛି । ପୂର୍ବରୁ ମଧ୍ୟ ସଂସ୍ଥା ଦେଇଥିବା ରିପୋର୍ଟରେ ମୋଦି ହିଁ ୧ନଂ ସ୍ଥାନରେ ରହିଥିଲେ। ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ ରେଟିଂ ପଏଣ୍ଟ ୭୬% ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଆଲାଇନ ବ୍ରେସେଟଙ୍କ ଠାରୁ ମୋଦିଙ୍କୁ ରେଟିଂ ପଏଣ୍ଟ ୧୨% ଅଧିକ। ତାଙ୍କ ରେଟିଂ ପଏଣ୍ଟ ୬୪% ରହିଛି । ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନ୍ୟୁଏଲ ଲୋପେଜ ଓବ୍ରାଡୋ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୬୧% ରହିଛି । ବିଶ୍ୱ ଲୋକପ୍ରିୟତା ତାଲିକାର ୪ର୍ଥ ସ୍ଥାନରେ ବ୍ରାଜିଲର ଲୁଲା ଡା ସିଲିଭା, ୫ମରେ ଅଷ୍ଟ୍ରେଲିଆର ଆନ୍ଥୋନୀ ଆଲବାନେସ, ୬ଷ୍ଠରେ ଇଟାଲୀର ଜର୍ଜିଆ ମେଲୋନି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୦% ରେଟିଂ ପଏଣ୍ଟ ସହ ୭ମ ସ୍ଥାନରେ, ୮ମରେ ସ୍ପେନର ପେଣ୍ଡ୍ରୋ ସାଞ୍ଜେଜ ଓ ୯ମରେ ଆୟାରଲ୍ୟାଣ୍ଡର ଲିଓ ଭାରାଡକର ରହିଛନ୍ତି।
ତାଲିକାରେ ମୋଟ ୨୨ ଜଣ ନେତା ରହିଛନ୍ତି। ଶେଷ ରାଜନେତା ଜଣଙ୍କ ହେଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟେଓଲ। ତାଙ୍କ ଆପ୍ରୁଭାଲ ରେଟିଂ ୨୦% ରହିଛି। ତାଙ୍କ ସହ ସମାନ ଆପ୍ରୁଭାଲ ରେଟିଂ ପଏଣ୍ଟ ସହ ଚେକ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପାଭେଲ ସବୁଠାରୁ ଶେଷରେ ଅଛନ୍ତି।