ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬କୁ ନେଇ ବିବାଦ ଥମିବାର ନାଁ ନେଉନି। ବାଂଲାଦେଶକୁ ବହିଷ୍କାର କରାଯିବା ପରେ ପଡ଼ୋଶୀ ପାକିସ୍ତାନକୁ ବେଶ ବାଧିଛି। ତେଣୁ ଦଳ ଏବେ ନୂଆ ଡ୍ରାମା ଆରମ୍ଭ କରିଛି। ବିଶ୍ଵକପରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ବିଚାର କରୁଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦୁଇଟି ବିକଳ୍ପ ଉପରେ ବିଚାର କରୁଛି: ୨୦୨୬ ଟି-୨୦ ବିଶ୍ୱକପ୍ ବର୍ଜନ ଏବଂ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍। ଆଇସିସି ପୂର୍ବରୁ ବାଂଲାଦେଶକୁ ଟି-୨୦ ବିଶ୍ୱକପ୍ ରୁ ବହିଷ୍କାର କରିଛି, ଯାହାର ସ୍ଥାନ ସ୍କଟଲାଣ୍ଡ ନେଇଛି। ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭି ଅନୁଯାୟୀ, ଆଇସିସିର ନିଷ୍ପତ୍ତିର ପ୍ରତିବାଦରେ ପିସିବି ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବର୍ଜନ କରିପାରେ।
ଦର୍ଶକ ଏବଂ ବ୍ୟବସାୟ ଦୃଷ୍ଟିରୁ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ୨୦୨୬ ଟି-୨୦ ବିଶ୍ୱକପ୍ର ସବୁଠାରୁ ବଡ଼ ମ୍ୟାଚ୍ ହେବ। ସମାନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପିସିବି ଅଧ୍ୟକ୍ଷ ମୋହସିନ୍ ନକଭି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିବେ। ତଥାପି, ପିସିବିକୁ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଏପରି ନିଷ୍ପତ୍ତି ନେବା ଦ୍ଵାରା ଆଇସିସି ଦ୍ୱାରା ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ବର୍ଜନ କଲେ ଦଣ୍ଡ ମିଳିବ
ଯଦି ପାକିସ୍ତାନ ଟି-୨୦ ବିଶ୍ଵକପ କିମ୍ବା ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କରେ, ତେବେ ଆଇସିସି ଏକ ବଡ଼ ଜରିମାନା ଲଗାଇପାରେ କିମ୍ବା ବିଶ୍ୱକପରୁ ପଏଣ୍ଟ କାଟିପାରେ। ଭବିଷ୍ୟତରେ ଆଇସିସି ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇପାରେ। ପାକିସ୍ତାନର ଦାବି ଅନୁଯାୟୀ, ୨୦୨୬ ଟି-୨୦ ବିଶ୍ୱକପରେ ଏହାର ମ୍ୟାଚ୍ ଏକ ହାଇବ୍ରିଡ୍ ମଡେଲ୍ ଅନୁଯାୟୀ ଖେଳାଯିବ। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ, ପାକିସ୍ତାନ ବିଶ୍ୱକପ୍ ରେ ଫେବୃଆରୀ ୭ ତାରିଖରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଫେବୃଆରୀ ୧୨ ତାରିଖରେ ଆମେରିକା ସହିତ ଏବଂ ତା'ପରେ ଫେବୃଆରୀ ୧୫ ତାରିଖରେ ଭାରତ ସହିତ ମୁକାବିଲା କରିବ। ପାକିସ୍ତାନର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷରେ ହେବ।
Also read: ସଞ୍ଜୁ ସାମସନଙ୍କୁ ଅଭିଷେକ ଶର୍ମା ହେବାର ଆବଶ୍ୟକତା ନାହିଁ, ପରାମର୍ଶ ଦେଲେ ବରିଷ୍ଠ ଓପନର