ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ସେ ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଅବସରରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଆମେ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରରେ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ। ଆମର ଦଳଗୁଡ଼ିକ ଖୁବ୍ ଶୀଘ୍ର ବାଣିଜ୍ୟ ଚୁକ୍ତି ଉପରେ କାମ କରିବେ। ଆଗାମୀ ଦଶନ୍ଧି ପାଇଁ ଏକ ପ୍ରତିରକ୍ଷା ସହଯୋଗ ଢାଞ୍ଚା ସୃଷ୍ଟି କରାଯିବ। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଏବଂ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେ ଆତଙ୍କବାଦ ବିରୋଧରେ ଏକାଠି ଛିଡ଼ା ହୋଇଛୁ। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ ଭାବୁଛି ଆମର ଚୀନ୍ ସହିତ ବହୁତ ଭଲ ସମ୍ପର୍କ ରହିବ। କୋଭିଡ୍-୧୯ ମହାମାରୀ ପୂର୍ବରୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା। ମୁଁ ଭାବୁଛି ଚୀନ୍ ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ମୁଁ ଭାବୁଛି ସେମାନେ ୟୁକ୍ରେନ ଏବଂ ରୁଷ ସହିତ ଏହି ଯୁଦ୍ଧ ସମାପ୍ତ କରିବାରେ ଆମକୁ ସାହାଯ୍ୟ କରିପାରିବେ। ମୁଁ ଭାରତକୁ ଦେଖୁଛି, ମୁଁ ସୀମା ସଂଘର୍ଷ ଦେଖୁଛି ଯାହା ବହୁତ ନୃଶଂସ। ଯଦି ମୁଁ ସାହାଯ୍ୟ କରିପାରିବି, ମୁଁ ସାହାଯ୍ୟ କରିବାକୁ ପସନ୍ଦ କରିବି। ମୁଁ ଆଶା କରୁଛି ଯେ ଚୀନ୍, ଭାରତ, ରୁଷ ଏବଂ ଆମେରିକା, ଆମେ ସମସ୍ତେ ଏକାଠି କାମ କରିପାରିବା। ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।"
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତରେ ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ମାମଲା ଉପରେ ଆଲୋଚନା ହୋଇଥିଲା କି? ଏହି ପ୍ରଶ୍ନ ପଚରାଯିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଭାରତ ଏକ ଗଣତାନ୍ତ୍ରିକ ଦେଶ ଏବଂ ଆମର ସଂସ୍କୃତି 'ବସୁଧୈବ କୁଟୁମ୍ବକମ୍'ର, ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ମାନିଥାଉ। ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ମୋର ବୋଲି ମାନିଥାଏ। ଏପରି ବ୍ୟକ୍ତିଗତ ପ୍ରସଙ୍ଗରେ, ଦୁଇଟି ଦେଶର ମୁଖ୍ୟ ଭେଟନ୍ତି ନାହିଁ, ବସିବେ ନାହିଁ କିମ୍ବା କଥାବାର୍ତ୍ତା କରନ୍ତି ନାହିଁ।
ଫେବୃଆରୀ ୧୩ ତାରିଖରେ ୱାଶିଂଟନ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ଆୱାର ଜର୍ଣ୍ଣି ଟୁଗେଦର' ପୁସ୍ତକ ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାରେ ବିଶ୍ବର ୨ବଡ଼ ନେତାଙ୍କ ଭେଟ: ପ୍ରଧାନମନ୍ତ୍ରୀ ମୋଦୀ କହିଲେ...