ଭିଏନା: ଦୁଇଦିନିଆ ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ଅଷ୍ଟ୍ରିଆ ପହଞ୍ଚିଛନ୍ତି। ଦୁଇଦିନିଆ ଗସ୍ତରେ ମଙ୍ଗଳବାର ସନ୍ଧ୍ୟାରେ ଅଷ୍ଟ୍ରିଆର ଭିଏନାରେ ପହଞ୍ଚିଲା ପରେ ବିଦେଶମନ୍ତ୍ରୀ ଆଲେକଜାଣ୍ଡର ସେଚେଲନବର୍ଗ ସ୍ବାଗତ କରିଛନ୍ତି। ଭାରତ-ଅଷ୍ଟ୍ରିଆ ମଧ୍ୟରେ କୁଟନୈତିକର ୭୫ତମ ବାର୍ଷିକୀଙ୍କୁ ମନେ ପକାଇଥିଲେ। ୪୦ରୁ ଅଧିକ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ୧୯୮୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରିଆ ଯାତ୍ରା କରିଥିଲେ।
ଭିଏନାରେ ନିଜର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକଜାଣ୍ଡର ୱାନ ଡେର ବେଲନଙ୍କୁ ଭେଟିବେ ଓ ଚାନସେଲ କାର୍ଲ ନେହମାରଙ୍କ ସହିତ ଚର୍ଚ୍ଚା କରିବେ। ଉଭୟ ନେତା ଭାରତ ଓ ଅଷ୍ଟ୍ରିଆର ଶୀର୍ଷ ବ୍ୟବସାୟୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଷ୍ଟ୍ରିଆରେ ଭାରତୀୟ ସମୁଦାୟଙ୍କ ସଦସ୍ୟଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ଅଷ୍ଟ୍ରିଆ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏସଂପର୍କରେ ଟୁଇଟ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଚାନସେଲର କାଲଁ ନେହମାରଙ୍କୁ ଭିଏନାରେ ଭେଟି ଖୁସି ଅନୁଭବ କରୁଛି। ଭାରତ-ଅଷ୍ଟ୍ରିଆର ବନ୍ଧୁତ୍ବ ଆହୁରି ଶକ୍ତିଶାଳୀ ହେବ। ଆଗାମୀ ଦିନରେ ଏହାକୁ ଅଧିକ ଶକ୍ତୀଶାଳୀ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରିଆ ଗଣରାଜ୍ୟର ସଂଘୀୟ ଚାନସେଲର କାର୍ଲ ନେହମାରଙ୍କ ଦ୍ବାରା ଆୟୋଜିତ ରାତ୍ରିଭୋଜନ ପାଇଁ ପହଞ୍ଚିଛନ୍ତି। ସେ ଏଠାରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଅଭିନନ୍ଦନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଭିଏନାର ଏକ ହୋଟେଲ(କାର୍ଲଟନ୍)ରେ ପହଞ୍ଚିଲା ପରେ ଅଷ୍ଟ୍ରିଆର କଳାକାରମାନେ ତାଙ୍କୁ ସ୍ବାଗତ କରିଥିଲେ ଏବଂ ‘ବନ୍ଦେ ମାତରମ’ ଗାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ବନ୍ଦେ ମାତରମ ଗାନ କରିଥିବା ଗ୍ରୁପ ଓ ଆର୍କେଷ୍ଟାର କଳାକାର ଏଣ୍ଟୋନିଆ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ନାରେ ପ୍ରଦର୍ଶନ କରିବା ଆମ ପାଇଁ ବିରଳ ମୁହୂର୍ତ୍ତ ଥିଲା। ସେ ଆମ ପାଖକୁ ଆସି କଥାବାର୍ତ୍ତା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିଲା ପରେ ଜଣେ ଭାରତୀୟ ବଂଶୋଦ୍ଭବ କହିଛନ୍ତି, ଆମେ ମୋଦୀଙ୍କୁ ଭେଟିଲୁ। ବହୁତ ଖୁସି ଅନୁଭବ ହେଲା।