ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ବହୁ ଦଳୀୟ ପ୍ରତିନିଧି ମଣ୍ଡଳର ସଦସ୍ୟଙ୍କୁ ଭେଟିେବେ । ଏହି ପ୍ରତିନିଧିମଣ୍ଡଳ ଅପରେସନ ସିନ୍ଦୂର ପରେ ଭାରତର ଆଭିମୁଖ୍ୟ ପୂରା ଦୁନିଆକୁ ଜଣାଇବା ପାଇଁ ବିଭିନ୍ନ ଦେଶ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ପ୍ରତିନିଧିମଣ୍ଡଳର ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ମତାମତ ରଖିବେ । ସରକାର ସମସ୍ତ ପ୍ରତିନିଧିମଣ୍ଡଳର କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି । ପ୍ରତିନିଧିମଣ୍ଡଳରେ ୫୦ରୁ ଅଧିକ ସଦସ୍ୟ ଥିଲେ,ଯେଉଁଥିରେ ଅଧିକାଂଶ ବର୍ତ୍ତମାନର ସାଂସଦ ସାମିଲ ।
ପୂର୍ବତନ ରାଷ୍ଟ୍ରଦୂତ ମଧ୍ୟ ଏହି ପ୍ରତିନିଧିମଣ୍ଡଳର ସଦସ୍ୟ ଥିଲେ, ଯେଉଁମାନେ ୩୩ ଦେଶର ରାଜଧାନୀ ଓ ୟୁରୋପୀୟ ସଂଘ ଗସ୍ତ କରିଥିଲେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରଥମରୁ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କୁ ଭେଟି ସାରିଛନ୍ତି । ଆଉ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ଚାରି ପ୍ରତିନିଧିମଣ୍ଡଳର ନେତୃତ୍ୱ କ୍ଷମତାସୀନ ଏନଡିଏର ନେତାଙ୍କ ଦ୍ୱାରା କରାଯାଇଥିଲା । ଏଥିରେ ଦୁଇଟି ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ ବିଜେପିର ସାଂସଦ ଏବଂ ଗୋଟିଏ ଜନତା ଦଳ ଏବଂ ଅନ୍ୟଟି ଶିବସେନାର ସାଂସଦ । ତିନୋଟି ପ୍ରତିନିଧିମଣ୍ଡଳର ନେତୃତ୍ୱ ବିରୋଧୀ ଦଳର ସାଂସଦଙ୍କ ଦ୍ୱାରା ନିଆଯାଇଥିଲା । ଏଥିରେ କଂଗ୍ରେସ, ଡିଏମକେ ଓ ଶରଦ ପାୱାରଙ୍କ ଏନସିପିର ସାଂସଦ ନେଇଥିଲେ ।
ସୂଚନାଯୋଗ୍ୟ, ଭାରତର ପ୍ରତିନିଧିମଣ୍ଡଳ ପରି ପାକିସ୍ତାନ ମଧ୍ୟ ନିଜର ପ୍ରତିନିଧିମଣ୍ଡଳକୁ ବିଦେଶ ପଠାଇଛି । ଭାରତ କେମିତି ଆମ ଉପରେ ଆକ୍ରମଣ କରିଛି ସାରା ଦୁନିଆରୁ ସହାନୁଭୂତି ସାଉଁଟିବା ଉଦ୍ଦେଶ୍ୟରେ ପାକିସ୍ତାନ ଏମିତି ପଦକ୍ଷେପ ନେଇଛି । ହେଲେ ସେମାନଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟଙ୍କ ମୁହଁରୁ ସତ ବାହାରି ଯାଉଥିବାରୁ ପାକିସ୍ତାନକୁ ପୂରା ଦୁନିଆରେ ଲଜ୍ଜିତ ହେବାକୁ ମଧ୍ୟ ପଡୁଛି ।