ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ଶେଷ ପର୍ଯ୍ୟାୟର ମତଦାନ ଲାଗି ପ୍ରଚାର ଶେଷ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଆଧ୍ୟାତ୍ମିକ ଯାତ୍ରା କରିବେ । ତାମିଲନାଡୁର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କନ୍ୟାକୁମାରୀରେ ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ମେ’ ୩୦ ତାରିଖ କନ୍ୟାକୁମାରୀ ପହଞ୍ଚିବେ ଏବଂ ସେ ସେଠାରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରହିବେ । କନ୍ୟାକୁମାରୀରେ ମହାସାଗର ଭିତରେ ଥିବା ବିଶାଳ ଚଟ୍ଟାଣରେ ବସି ଧ୍ୟାନ କରିବେ । ପ୍ରଧାନମନ୍ତ୍ରୀ ସେହି ପଥର ଉପରେ ଧ୍ୟାନ କରିବେ, ଯେଉଁଠି ସ୍ୱାମୀ ବିବେକାନନ୍ଦ ଧ୍ୟାନ କରିଥିଲେ ।
ତେବେ କିଛି ପାଠକମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଧ୍ୟାନ କରିବାକୁ କନ୍ୟାକୁମାରୀ ଯିବେ? ଏହାର ଉତ୍ତର ହେଉଛି ସଂକ୍ଷିପ୍ତ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ଛତ୍ରପତି ଶିବାଜୀଙ୍କ ପ୍ରତାପଗଡ଼ ଏବଂ ୨୦୧୯ରେ ଉତ୍ତରାଖଣ୍ଡର କେଦାରନାଥ ଗୁମ୍ଫାରେ ଧ୍ୟାନ କରିଥିଲେ । ଆଉ ଏକ କଥା ଏଠାରେ ଦେଖାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଏପର୍ଯ୍ୟନ୍ତ ଯେଉଁସ୍ଥାନକୁ ପହଞ୍ଚୁଛନ୍ତି, ସେଠାରେ ପରବର୍ତ୍ତୀ ସମୟରେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ଲାଗୁଛି ।
ଲୋକସଭା ନିର୍ବାଚନର ୭ମ ପର୍ଯ୍ୟାୟରେ ଜୁନ୍ ୧ ତାରିଖରେ ମତଦାନ ହେବ । ଏଥି ପାଇଁ ମେ’ ୩୦ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ । ପ୍ରଧାନମନ୍ତ୍ରୀ ମୋଦୀ ପଂଜାବର ହୋଶିଆରପୁରରେ ନିଜର ଶେଷ ରୋଡ୍ ଶୋ’ କରିବେ । ଏହା ପରେ ସେ କନ୍ୟାକୁମାରୀ ଯିବେ । ସେ ସମୁଦ୍ର ତଟଠାରୁ ୫୦୦ ମିଟର ଦୂରରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ପହଞ୍ଚିବେ ଏବଂ ମେ’ ୩୧ ରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ (୨୪ ଘଣ୍ଟା) ଧ୍ୟାନ ମଣ୍ଡପରେ ଧ୍ୟାନ କରିବେ । ସ୍ଥାନୀୟ ପ୍ରଶାସନ ଏଥି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରୁଛି ।
ବିବେକାନନ୍ଦ ରକ୍ ମେମୋରିଆଲ ହେଉଛି ସେହି ସ୍ଥାନ, ଯେଉଁଠି ୧୩୨ ବର୍ଷ ପୂର୍ବରୁ ସ୍ୱାମୀ ବିବେକାନ୍ଦ ପହଞ୍ଚି ଥିଲେ ଏବଂ ସେ ସେଠାରେ ତିନି ଦିନ ଧ୍ୟାନ କରିଥିଲେ । ସ୍ୱାମୀ ଜୀ ୧୮୯୨ ମସିହା ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ଏଠାରେ ତପ କରିଥିଲେ । କୁହାଯାଇଥାଏ ଯେ, ସ୍ୱାମୀଜୀଙ୍କୁ ସେଠାରେ ଭାରତ ମାତାଙ୍କ ଦିବ୍ୟ ଅବଧାରଣାର ଅନୁଭୂତି ମିଳିଥିଲା । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମ ମଧ୍ୟ ଏଠାରେ ୨ ଘଣ୍ଟା ଧ୍ୟାନ କରିଥିଲେ ।
୨୦୧୪ ନିର୍ବାଚନ ପ୍ରଚାର ଶେଷ ହେଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କ ସେହ ପ୍ରତାପଗଡ଼କୁ ଗସ୍ତ କରିଥିଲେ, ଯେଉଁଠି ଶିବାଜୀ ନିଜର ବାଘନଖ ସାହାଯ୍ୟରେ ଆତତାୟୀ ଆଫଜଲ ଖାନ୍ଙ୍କ ପେଟ ଚିରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଦାରନାଥ ସହିତ ୫ ଦଶନ୍ଧି ଧରି ସଂପର୍କ ରହିଛି । ୧୯୬୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ନଗରରୁ ଆଧ୍ୟାତ୍ମିକ ସ୍ଥାନ ଖୋଜିବା ପାଇଁ କୋଲକାତା ଯାଇଥିଲେ । ପରେ ସେ ବିଭିନ୍ନ ସ୍ଥାନ ଖୋଜି କେଦାରନାଥ ଠାରୁ ୩ କିମି ଦୂର ଗରୁଡ଼ ଚଟ୍ଟୀରେ ପହଞ୍ଚିଥିଲେ । ସେଠାରେ ସେ ପ୍ରାୟ ଦେଢ଼ ମାସ ଅତିବାହିତ କରିଥିଲେ । ଲୋକସଭା ନିର୍ବାଚନ-୨୦୧୯ ପ୍ରଚାର ଶେଷ ହେଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ କେଦାରନାଥ ଗୁମ୍ଫାରେ ଧ୍ୟାନ କରିଥିଲେ ।