ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦ ପରିସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସରକାରଙ୍କ ଗ୍ୟାରେଣ୍ଟିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ଆରମ ଲକ୍ଷ୍ୟ ଅଛି। ସେ କହିଛନ୍ତି, ବିକଶିତ ଭାରତର ସ୍ବପ୍ନକୁ ଏହି ବଜେଟ୍ ଶକ୍ତି ଯୋଗାଇବ।
ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଶ୍ରାବଣର ପ୍ରଥମ ସୋମବାର। ଏହି ପବିତ୍ର ଦିନରେ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି। ମୁଁ ଶ୍ରାବଣ ପ୍ରଥମ ସୋମବାର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆଜି ପୂରା ଦେଶର ନଜର ଏକ ସକରାତ୍ମକ ଅଧିବେଶନ ଉପରେ ରହିଛି।
କାଲି ଆମେ ବଜେଟ୍ ଉପସ୍ଥାପନ କରିବୁ। ଏହି ଅମୃତକାଳର ଗୁରୁତ୍ବପୂର୍ଣ୍ଣ ବଜେଟ। ଆମକୁ ସେବା କରିବାର ଯେଉଁ ୫ ବର୍ଷର ସୁଯୋଗ ମିଳିଛି, ଏହି ବଜେଟ୍ ଆମର ୫ ବର୍ଷର ଦିଗ ନିର୍ଦ୍ଧାରଣ କରିବ। ଏହି ବଜେଟ୍ ୨୦୪୭ ବିକଶିତ ଭାରତର ସ୍ବପ୍ନକୁ ବଳ ଯୋଗାଇବ।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ଏହା ଆଗାମୀ ଅଗଷ୍ଟ ୧୨ ତାରିଖ ଯାଏଁ ଜାରି ରହିବ। ଏହି ଅବଧୀ କାଳରେ ୬ଟି ବିଲ୍ ପାସ୍ ହେବାର ଆଶା କରାଯାଉଛି। ଏଥିରେ ୯୦ ବର୍ଷ ପୁରୁଣା ବିମାନ ଅଧିନିୟମକୁ ବଦଳାଇବା ବିଧେୟକ ଓ ଜମ୍ମୁ-କଶ୍ମୀର ବଜେଟ ପାଇଁ ସଂସଦର ମଂଜୁରୀ ମଧ୍ୟ ସାମିଲ ରହିଛି। ଅନ୍ୟପଟରେ ବିଲ୍ ଉପସ୍ଥାପନ ସମୟରେ ହଙ୍ଗାମା ମଧ୍ୟ ହୋଇପାରେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମଙ୍ଗଳବାର ଦିନ ବଜେଟ ଉପସ୍ଥାପନା କରିବେ। ଏହା ପୂର୍ବରୁ ସେ ଆଜି ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ। ମନ୍ତ୍ରୀ ଶ୍ରୀମତୀ ସୀତାରମଣ ମଧ୍ୟାହ୍ଣ ୧୨ଟାରେ ଲୋକସଭା ଓ ଅପରାହ୍ଣ ୨ଟାରେ ରାଜ୍ୟସଭାରେ ରିପୋର୍ଟ ଉପସ୍ଥାପନ କରିବେ।
ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କଂଗ୍ରେସ ନେତା ଗୌରବ ଗୋଗୋଇ, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ।