ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ରୁଷ ଗସ୍ତରେ ଅଛନ୍ତି। ସୋମବାର ଦିନ ସେ ରୁଷରେ ପହଞ୍ଚିଲା ପରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ମସ୍କୋରେ ପୁଟିନ୍ଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ଭାରତୀୟ ସଂପ୍ରଦାୟଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଭାରତୀୟ ସଂପ୍ରଦାୟଙ୍କୁ ସମ୍ବୋଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଆଜି ଏଠାକୁ ଏକାକୀ ଆସିନାହିଁ। ବରଂ ନିଜ ସାଥିରେ ଦେଶର ମାଟି ନେଇକି ଆସିଛି। ମୁଁ ୧୪୦ କୋଟି ଭାରତୀୟଙ୍କ ଭଲପାଇବା ନେଇ ଆସିଛି। ଆଜି ଜୁଲାଇ ମାସର ୯ ତାରିଖ। ମୁଁ ଏହି ତାରଖରେ ପ୍ରଧାନମନ୍ତ୍ରୀ ପଦବିର ଶପଥ ନେଇଥିଲି। ସେହିପରି ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ମାସ ହୋଇଛି।
ଭାରତୀୟ ସଂପ୍ରଦାୟକୁ ସମ୍ବୋଧିତ କରି ସେ କହିଛନ୍ତି ମୁଁ ଶପଥ ନେଇଥିଲି ଯେ, ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ତିନିଗୁଣା କାମ କରିବି। ଏହି ସରକାରରେ ୩ଗୁଣା କାମ କରିବାର ଅଛି। ଆମର ଲକ୍ଷ୍ୟ ଭାରତକୁ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା କରିବା। ତିନି କୋଟି ଲକ୍ଷପତି ଦିନି ସୃଷ୍ଟି କରିବା। ଦେଶକୁ ତୃତୀୟ ଅର୍ଥବ୍ୟବସ୍ଥା କରିବା। ଗରିବଙ୍କ ପାଇଁ ତିନି କୋଟି ଘର ନିର୍ମାଣ କରିବାର ଅଛି।
ହିନ୍ଦୁସ୍ତାନର ପ୍ରତିଭା ଦେଖି ସମଗ୍ର ବିଶ୍ବ ଚକିତ ହୋଇଯାଇଛି। ଦେଶର ବିକାଶ ଦ୍ରୁତଗତିରେ ବଢୁଛି। ବିଶ୍ବ କହୁଛି ଭାରତର ପରିବର୍ତ୍ତନ ହେଉଛି। ଆଜି ଭାରତରେ ଲକ୍ଷଲକ୍ଷ ଷ୍ଟାର୍ଟଅପ୍ ପ୍ରତିଷ୍ଠା ହୋଇପାରିଛି। ଭାରତ ଯାହା ଚିନ୍ତା କରୁଛି, ଏହାକୁ ପୂରା ମଧ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ରୁଷରେ ପହଞ୍ଚିଲା ପରେ ପୁଟିନଙ୍କ ସହିତ ନିଜର ଭେଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୋମବାର ନିଜର ଭାବନାକୁ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆଜି (ସୋମବାର) ନୋଭୋ-ଓଗରିୟୋବୋରେ ମୋର ସ୍ବାଗତ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଉଛି। ମଙ୍ଗଳବାର ଆମ ଭିତରେ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାକୁ ନେଇ ଅପେକ୍ଷା କରିଛି। ଏହି ଆଲୋଚନା ନିଶ୍ଚିତ ଭାବେ ଭାରତ ଓ ରୁଷି୍ଆ ମଧ୍ୟରେ ଥିବା ବନ୍ଧୁତ୍ବକୁ ଆହୁରି ଶକ୍ତିଶାଳୀ କରିବ।