ନୂଆଦିଲ୍ଲୀ/ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଆଜି ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହୋଇଛି। ଗଣତନ୍ତ୍ରର ପର୍ବକୁ ସଫଳ କରିବା ପାଇଁ ମୁଁ ସମସ୍ତ ଭୋଟରଙ୍କୁ ଆଗେଇ ଆସି ମତଦାନ କରିବାକୁ ଅନୁରୋଧ କରୁଛି। ମୋର ବିଶ୍ୱାସ ଯେ ଯେଉଁ ଯୁବ ବନ୍ଧୁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି ସେମାନଙ୍କ ବ୍ୟତୀତ ମହିଳା ଶକ୍ତି ମଧ୍ୟ ବହୁ ସଂଖ୍ୟାରେ ମତଦାନରେ ଅଂଶଗ୍ରହଣ କରିବେ।
ଜମ୍ମୁ-କଶ୍ମୀରରେ ଏଭଳି ଏକ ସରକାର ଦରକାର ଯିଏ ଦୂରଦର୍ଶୀ ଏବଂ ଏଠାରେ ସୁରକ୍ଷା, ଶାନ୍ତି ଓ ସ୍ଥିରତା ପାଇଁ କଠୋର ନିଷ୍ପତ୍ତି ନେଇପାରିବ। ଆଜି ଶେଷ ପର୍ଯ୍ୟାୟରେ ଏଠାରେ ମତଦାନ କରୁଥିବା ଲୋକମାନେ ନିଜ ଭୋଟର ଶକ୍ତିକୁ ବ୍ୟବହାର କରି ସରକାର ଗଠନ କରିବା ଉଚିତ ଯାହା ଜମ୍ମୁ-କଶ୍ମୀରକୁ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ପରିବାରବାଦ ଏବଂ ଦୁର୍ନୀତିରୁ ମୁକ୍ତ ରଖିବ ଏବଂ ପ୍ରତ୍ୟେକ ବର୍ଗର ଅଧିକାରକୁ ରକ୍ଷା କରିବାକୁ ସଂକଳ୍ପବଦ୍ଧ । ଜମ୍ମୁ-କଶ୍ମୀରର ପର୍ଯ୍ୟଟନ, ଶିକ୍ଷା, ରୋଜଗାର ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ଐତିହାସିକ ଭୋଟ୍ ଦେଇଛନ୍ତି।
ମତଦାନ କରିବା ପରେ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ସଭାପତି ଗୁଲାମ ନବୀ ଆଜାଦ କହିଛନ୍ତି, ମୁଁ ଲୋକଙ୍କୁ ବାହାରକୁ ଆସି ଭୋଟ୍ ଦେବାକୁ ନିବେଦନ କରୁଛି। କ୍ଷମତାକୁ ଆସୁଥିବା ରାଜନୈତିକ ଦଳ ସମସ୍ୟାର ସମାଧାନ କରିବା ଦରକାର। ମୁଁ କୌଣସି ଦଳ ବିରୋଧରେ କିମ୍ବା ସପକ୍ଷରେ କହିବି ନାହିଁ। ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ଦିଆଯିବ କି ନାହିଁ ତାହା ଭୋଟର ମାନେ ସ୍ଥିର କରିବେ।
ସୂଚନାଯୋଗ୍ୟ, ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଅନ୍ତିମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୪୦ଟି ବିଧାନସଭା ଆସନର ୫୦୬୦ଟି ମତଦାନ କେନ୍ଦ୍ରରେ ୩୯ ଲକ୍ଷ ୧୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ଜମ୍ମୁର ୨୪ଟି ବିଧାନସଭା ଆସନ ଏବଂ କଶ୍ମୀର ଉପତ୍ୟକାର ୧୬ଟି ବିଧାନସଭା ଆସନ ରହିଛି। ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୪୧୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରେ ପିପୁଲ୍ସ କନଫରେନ୍ସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସଜାଦ ଲୋନ ଏବଂ ନ୍ୟାସନାଲ ପାନ୍ଥର୍ସ ପାର୍ଟି ଇଣ୍ଡିଆ ର ସଭାପତି ଦେବ ସିଂହଙ୍କ ଭଳି ପ୍ରମୁଖ ନେତା ମଧ୍ୟ ନିର୍ବାଚନ ମଇଦାନରେ ଅଛନ୍ତି। ସଜାଦ ଲୋନ୍ କୁପଓ୍ଵାରାର ଦୁଇଟି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଦେବ ସିଂହ ଉଧମପୁରର ଚେନାନି ଆସନରୁ ନିର୍ବାଚନ ଲଢୁଛନ୍ତି।
ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ତାରିଖରେ ୨୪ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ମଙ୍ଗଳବାର ୪୦ଟି ଆସନ ପାଇଁ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି। ଅକ୍ଟୋବର ୮ତାରିଖରେ ଭୋଟ୍ ଗଣତି ହେବ।
ଅଧିକ ପଢ଼ନ୍ତୁ: ୪୦ ଆସନରେ ମତଦାନ ଜାରି, ଭାଗ୍ୟ ପରୀକ୍ଷା କରୁଛନ୍ତି ୪୧୫ ପ୍ରାର୍ଥୀ