'ମନ୍ କି ବାତ'ର ୧୧୦ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ ଅଭିଭାଷଣରେ କଳାହାଣ୍ଡିର ଏକ ଦମ୍ପତିଙ୍କ ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋପାଳନ ସହ ଚାଷୀଙ୍କୁ ସଶକ୍ତ କରିବାର ଉଦ୍ୟମ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ହଜାର ହଜାର ବର୍ଷ ଧରି ଆମେ ପ୍ରକୃତି ସହ ଜଡ଼ିତ ହୋଇ ରହିଆସିଛୁ। ପ୍ରକୃତି ସହ ତାଳମେଳ ହେଉଛି ଭାରତୀୟ ସଂସ୍କୃତିର ଅଭିନ୍ନ ଅଂଶ । ପଶୁପାଳନ କହିଲେ ଗାଈ କିମ୍ବା ମଇଁଷିର କଥା ମନକୁ ଆସେ । ହେଲେ ଏହାବ୍ୟତୀତ ଆଉ ଏମିତି ବି କିଛି ପଶୁ ଅଛନ୍ତି ଯାହାଙ୍କୁ ପାଳନ କରାଯାଏ । ସେଥିମଧ୍ୟରୁ ଛେଳି ଅନ୍ୟତମ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଛେଳି ପାଳନ କରିବା ଅଞ୍ଚଳବାସୀଙ୍କ ଜୀବିକା ସହ ଜଡ଼ିତ। ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଛେଳି ପାଳନ କରି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବୀରେନ ସାହୁ। ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହା ଏକ ମାଧ୍ୟମ ସାଜିଛି। ୫୦ ଗାଁର ୧୦୦୦ରୁ ଅଧିକ ଗୋପାଳକ ଏହି ଦମ୍ପତିଙ୍କ ସହ ଯୋଡି ହୋଇଛନ୍ତି । ମତେ ଏହା ଦେଖି ଖୁସି ଲାଗୁଛି ଯେ ଛୋଟରୁ ଛୋଟ ଉଦ୍ୟମ ବି କୃଷକ ସଶକ୍ତିକରଣରେ ସହାୟକ ହେଉଛି । ଏଭଳି ଉଦ୍ୟମ ସମସ୍ତଙ୍କୁ ପ୍ରେରିତ କରୁଛି।"
ସୂଚନା ଯୋଗ୍ୟ ଯେ, ବେଙ୍ଗାଲୁରୁରେ ମ୍ୟାନେଜମେଣ୍ଟ ପ୍ରଫେସନାଲ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ୱାମୀ ବିରେନ ସାହୁ ଏକ ଜୀବନ ପରିବର୍ତ୍ତନକାରୀ ନିଷ୍ପତ୍ତି ନେଇଥିଲେ। କର୍ପୋରେଟ ଜୀବନକୁ ପଛରେ ପକାଇ କଳାହାଣ୍ଡି ଜିଲ୍ଲା ସାଲେଭଟା ଗାଁକୁ ଯାତ୍ରା ଆରମ୍ଭ କରିଥିଲେ। ସେବା ଓ ସମର୍ପଣର ଏହି ଭାବନାକୁ ନେଇ ଦୁହେଁ 'ମାଣିକସ୍ତୁ ଏଗ୍ରୋ'ର ସ୍ଥାପନା କରି କୃଷକମାନଙ୍କ ସହ କାମ ଆରମ୍ଭ କରିବା ସହ 'ମାଣିକସ୍ତୁ ଗୋଟ୍ ବ୍ୟାଙ୍କ' ଖୋଲିଲେ । ଏହି ଗୋଟ୍ ବ୍ୟାଙ୍କ ସାମୁଦାୟିକ ସ୍ତରରେ ଛେଳି ପାଳନକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ।
ଆମ ଦେଶର ବିଭିନ୍ନ କୋଣ ଅନୁକୋଣରେ ଛେଳି ପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ତଥାପି ଏହା ଅପେକ୍ଷାକୃତ ଅଜ୍ଞାତ ରହିଛି । ଗ୍ରାମବାସୀଙ୍କ ଜୀବିକା ଓ ସାମଗ୍ରିକ ଉନ୍ନତି ପାଇଁ ଛେଳି ପାଳନ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିବାରୁ ଓଡ଼ିଶାର କଳାହାଣ୍ଡିରେ ଏକ ପରିବର୍ତନମୂଳକ ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ମୋଦୀ କହିଛନ୍ତି।
ଅଧିକ ପଢନ୍ତୁ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ